Odia News Portal

ଶ୍ମଶାନ ଧୂଆଁରେ ଆକ୍ତାମାକ୍ତା ଭୁବନେଶ୍ୱର ସତ୍ୟନଗର

ଭୁବନେଶ୍ୱର: ଲିଭୁନି ଯୁଈ, ବୁଝୁନି ମନ । ଶ୍ମଶାନ ଧୂଆଁରେ ଆକ୍ତାମାକ୍ତା ଭୁବନେଶ୍ୱର ସତ୍ୟନଗର । କୋଭିଡ ହେଉ କି ଅଣକୋଭିଡ, ଦିନ ସାରା ମଶାଣୀରେ ଶବପୋଡା ବନ୍ଦ ହେଉନି । ଯାହାକୁ ନେଇ ସତ୍ୟନଗର ଶ୍ମସାନ ସ୍ଥାନାନ୍ତର ନେଇ ଦାବି ଉଠିଛି । ଆଜି ସତ୍ୟନଗର ଲେଡିଜ ଫୋରମ ସହ ସହୀଦନଗର ବାସିନ୍ଦା ବିଏମସି ଅଫିସ ଆସି ଦାବିପତ୍ର ଦେଇଛନ୍ତି । ପ୍ରତିଦିନ ବହୁ ସଂଖ୍ୟାରେ ଅନ୍ତିମସଂସ୍କାର ହେଉଥିବା ବେଳେ ସ୍ଥାନୀୟ ଲୋକେ ବହୁ ସମସ୍ୟାର ସମୁଖୀନ ହେଉଛନ୍ତି । ଏମିତିକି ଇଲେକ୍ଟ୍ରିକ ଚୂଲା ତୁଳନାରେ କାଠଚୁଲାର ବ୍ୟବହାର ଅଧିକ ହେଉଥିବାରୁ ସେଥିରୁ ନିର୍ଗତ ଧୁଆଁରେ ପାଖାପାଖି ଅଂଚଳରେ ରହିବା ମୁସ୍କିଲ ହୋଇପଡୁଛି । ସତ୍ୟନଗର ଇଲାକାରେ ଲୋକସଂଖ୍ୟା ବଢ଼ୁଥିବା ବେଳେ ସ୍କୁଲ ଆଦି ଥିବାରୁ ତୁରନ୍ତ ଏ ସଂକ୍ରାନ୍ତରେ ବିଚାର ଦାବିରେ ବିଏମସି ଅତିରିକ୍ତ କମିଶନରଙ୍କୁ ଦାବିପତ୍ର ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ସେପଟେ ବିଏମସି ଅତିରିକ୍ତ କମିଶନର କହିଛନ୍ତି ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ପୂର୍ବରୁ ଭରତପୁର ଓ ପଟିଆରେ ସ୍ମଶାନା ନିର୍ମାଣ ନେଇ ପ୍ରସ୍ତାବ ରହିଛି ସତ ହେଲେ କେତେ କାର୍ଯ୍ୟକାରୀ ହୋଇଛି ତାହାର ଖବର କାହାରି ପାଖରେ ନାହିଁ । ଏପରିସ୍ଥଳେ ସତ୍ୟନଗର ମଶାଣୀରେ ଅନ୍ତିମସଂସ୍କାର ସଂଖ୍ୟା କିନ୍ତୁ ଆଶାତୀତ ଭାବେ ବଢ଼ି ଚାଲିଛି । ଆଉ ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ପରେ ବିଏମସିର ମୁଣ୍ଡ ବିନ୍ଧା ବଢ଼ି ଯାଇଛି ।

କୋଭିଡ ପ୍ରଥମ ଲହର ଯାଇ ଦ୍ୱୀତିୟ ଲହର ଯିବାକୁ ବସିଲାଣି । କିନ୍ତୁ କୋଭିଡ ମୃତକଙ୍କ ଶବ ସତ୍କାର ପାଇଁ ବିଏମସି ବିକଳ୍ପ ବ୍ୟବସ୍ଥା ଖୋଜି ପାରିଲା ନାହିଁ । ସତ୍ୟନଗର ସ୍ମଶାନ ସ୍ଥାନାନ୍ତର ଦାବୀ ଭଳି ଅନ୍ୟ ସ୍ଥାନରେ ଯଦି ପରିସ୍ଥିତି ଉପୁଜେ ତେବେ ବିଏମସି କରିବ କଣ ତାହା ଚିନ୍ତା କରିବାର ସମୟ ଆସିଲାଣି ।