Odia News Portal

ପାରାଦୀପରୁ ଚୀନ ଯାଉଥିବା ଜାହାଜ ନିଖୋଜ, ୨ ଉଦ୍ଧାର

ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ‘ଓସିଏନ୍ ଉଇନର୍’ ନାମକ ଜାହାଜ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ଜାହାଜରେ ଥିବା ୨୪ ଜଣ କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅନ୍ୟମାନଙ୍କୁ ଖୋଜିବା ପାଇଁ ଏବେ ବି ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରହିଛି। ତଟରକ୍ଷୀ ବାହିନୀର ୩ଟି ଜାହାଜ—‘ଭରଦ’, ‘ଅନମୋଲ’ ଓ ‘ଭିଜିତ’—ସହ ଏକ ବାଣିଜ୍ୟିକ ଜାହାଜ ‘ଏମଟି ଏସପୋଷ’କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭୋର ସମୟରୁ ଏହି ଅଭିଯାନ ଚାଲିଥିବା ବେଳେ ‘ଭିଜିତ’ ବିଜୟପୁରମ୍‌ ଓ ପୋର୍ଟ ବ୍ଲେୟାର ଅଞ୍ଚଳ ନିକଟ ବଙ୍ଗୋପସାଗରରେ ଖୋଜାଖୋଜି ଜାରି ରଖିଛି। କୋଷ୍ଟଗାର୍ଡର ମାରିଟାଇମ୍ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର୍‌ (MRCC) ପକ୍ଷରୁ ସମଗ୍ର ଉଦ୍ଧାର କାର୍ଯ୍ୟ ପରିଚାଳନା କରାଯାଉଛି।

ସୂଚନା ଅନୁଯାୟୀ, ପ୍ରାୟ ୭୫ ହଜାର ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ଏହି ପାନାମା ପତାକାଧାରୀ ଜାହାଜ ଅଗଷ୍ଟ ୨୦ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ଯାତ୍ରା କରିଥିଲା। ଜାହାଜରେ ୨୦ ଜଣ ଚୀନ ନାଗରିକ, ଜଣେ ବାଂଲାଦେଶୀ ଏବଂ ୩ ଜଣ ମ୍ୟାମାର ନାଗରିକଙ୍କୁ ମିଶାଇ ମୋଟ ୨୪ ଜଣ କର୍ମଚାରୀ ଥିବା କୁହାଯାଉଛି। ପାରାଦୀପ ଉପକୂଳରୁ ପ୍ରାୟ ୨୪୦ ନଟିକାଲ୍ ମାଇଲ୍‌, ଅର୍ଥାତ୍ ପ୍ରାୟ ୩୭୦ କିଲୋମିଟର ଦୂର ଅତିକ୍ରମ କରିବା ପରେ ଅଗଷ୍ଟ ୨୧ ତାରିଖ ରାତି ୧୨ଟା ୧୮ ପରଠାରୁ ଜାହାଜ ସହ ଆଉ ଯୋଗାଯୋଗ ସମ୍ଭବ ହୋଇନଥିଲା। ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜ ନିକଟରେ ଜାହାଜଟି କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଆଶଙ୍କା କରାଯାଉଛି।

ଅଗଷ୍ଟ ୫ ତାରିଖରେ ଜାହାଜଟି ପାରାଦୀପ ବନ୍ଦରରେ ପହଞ୍ଚିଥିଲା। ବର୍ଥରେ ସ୍ଥାନ ନଥିବାରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏହାକୁ ସମୁଦ୍ର ଭିତରେ ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ଅଗଷ୍ଟ ୨୦ରେ ଲୁହାପଥର ବୋଝେଇ କରି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଥିଲା। ଜାହାଜଟିର ସନ୍ଧାନ ପାଇଁ ଭୁବନେଶ୍ୱରରୁ କୋଷ୍ଟଗାର୍ଡ ଟିମ୍‌ ସହ ହେଲିକପ୍ଟର ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ବିଶାଖାପାଟଣା ପଟୁ ମଧ୍ୟ ସନ୍ଧାନ ଅଭିଯାନ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଜାହାଜଟି ପ୍ରାୟ ୧୦.୫ ନଟ୍‌ ବେଗରେ ଯାତ୍ରା କରୁଥିଲା। ଲୁହାପଥରରେ ପୂର୍ଣ୍ଣ ଭାବେ ବୋଝେଇ ହୋଇଥିବାରୁ ଜାହାଜଟି ପାଣି ଭିତରେ ପ୍ରାୟ ୧୪.୨ ମିଟର ପର୍ଯ୍ୟନ୍ତ ବୁଡ଼ି ରହିଥିଲା। ଅଗଷ୍ଟ ୨୭ ତାରିଖ ସକାଳ ୭ଟା ୩୦ ସୁଦ୍ଧା ସିଙ୍ଗାପୁର ବନ୍ଦରରେ ପହଞ୍ଚିବାର ଥିଲା।

ତେବେ ଅଗଷ୍ଟ ୨୧ ତାରିଖ ରାତିରୁ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ପରେ ଏହାର ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏବେ ନିଖୋଜ ଥିବା ଅନ୍ୟ କର୍ମଚାରୀଙ୍କ ସନ୍ଧାନରେ କୋଷ୍ଟଗାର୍ଡ ପକ୍ଷରୁ ଜୋରଦାର ଉଦ୍ଧାର ଅଭିଯାନ ଜାରି ରହିଛି।