Odia News Portal

ଶ୍ରୀମନ୍ଦିରରେ ଲାଗିଛି ୧୩୫ କ୍ୟାମେରା, ସେଥିରୁ ୧୨୯ଟି ଅଚଳ

ସବୁ ଖୋଲାଥିଲା, କେହି ଅଟକେଇଲେନି । ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାର ଅଭିଯୁକ୍ତ ଜଗନ୍ ର ଏଭଳି ବୟାନ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ତାହା ସାମ୍ନାକୁ ଆସିଲା । ଏବେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଚିନ୍ତା ବଢିଛି । ବ୍ୟାରିକେଡ ଏଣ୍ଟ୍ରି ପଏଣ୍ଟରୁ ସିଂହଦ୍ବାର ଯାଏଁ କଡ଼ା ଯାଞ୍ଚ କରାଯାଉଛି । ଏଥିସହିତ ଭକ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ତେବେ ଶ୍ରୀମନ୍ଦିରରେ ଲାଗିଥିବା ୧୩୫ଟି ସିସିଟିଭିରୁ ମାତ୍ର ୬ଟି କାମ କରୁଛି ।  ବାକି ୧୨୯ଟି ଅଚଳ ହୋଇଯାଇଛି ।  ୨୦୨୧ରେ ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରା ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ୮୧ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା । ଏହି ଟଙ୍କା ଦେବାର ଏକ ବର୍ଷ ନଯାଉଣୁ ସିସିଟିଭି କ୍ୟାମଗୁଡିକ କିଭଳି ଅଚଳ ହୋଇଗଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ସେଗୁଡିକୁ ସଚଳ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି ।  ଏଣିକି ଶ୍ରୀମନ୍ଦିର ସୁରକ୍ଷା ନେଇ ମାସିକ ବୈଠକ ପରିବର୍ତ୍ତେ ସାପ୍ତାହିକ ବୈଠକ ବସିବ।

ସେପଟେ ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ଅଭିଯୁକ୍ତକୁ ଗିରଫ କରି ଜେଲ୍ ପଠାଯାଇଛି । ହେଲେ ଦାୟିତ୍ୱରେ ଅବହେଳା କରିଥିବା ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ୪ ଜଣ ଜେ.ଟି.ପି. କର୍ମଚାରୀଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ଜାରି କରି ପ୍ରଶାସନ ଚୁପ ବସି ପଡ଼ିଛି।