Odia News Portal

ମାନସିକ ଶାନ୍ତି ବିଗାଡୁଛି ସ୍ମାର୍ଟଫୋନ୍ ନିଶା, ଇଟାରେ ଛେଚିଲେ ଗାଁ ଲୋକ

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ଲୋକଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ସକାଳେ ଆଖି ଖୋଲିବା ପରଠୁ ବିଛଣାକୁ ଯିବା ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌କୁ ଲୋକେ ଛାତିରେ ଲଗାଇ ରଖୁଛନ୍ତି । ସୋସିଆଲ ମିଡିଆ, ଅନ୍‌ଲାଇନ୍ ଗେମ୍ ଓ ଇଣ୍ଟରନେଟ୍ ଲୋକଙ୍କ ଧ୍ୟାନ ଏଭଳି ଆକର୍ଷିତ କରିଛି ଯେ ଏହାର ପ୍ରଭାବ ଅଧ୍ୟୟନ, କାମ ଓ ଦୈନନ୍ଦିନ ଗତିବିଧି ଉପରେ ବି ପଡୁଛି । ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି ।

ଭାଇରାଲ ଭିଡିଓରେ ହରିୟାଣାର ନୁହ ଜିଲ୍ଲାର ସୁଖପୁରୀ ଗାଁର ବାସିନ୍ଦାଙ୍କୁ ଗୋଟିଏ ସ୍ଥାନରେ ଏକତ୍ର ହୋଇଥିବା ଦେଖିବାକୁ ମିଳିଛି । ସେମାନଙ୍କ ହାତରେ ମୋବାଇଲ ଫୋନ୍ ଅଛି । ପ୍ରଥମେ ସବୁକିଛି ସାମାନ୍ୟ ମନେହେଉଛି । କିନ୍ତୁ କିଛି ସମୟ ପରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଭିଡିଓରେ କିଛି ଯୁବକ ନିଜ ମୋବାଇଲ ଫୋନ୍‌କୁ ଜୋର୍ କରି ଚଟାଣରେ ଫିଙ୍ଗୁଛନ୍ତି । ଆଉ କିଛି ଇଟା ସାହାଯ୍ୟରେ ଫୋନ୍‌କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ପ୍ରାୟ ୫୫ରୁ ଅଧିକ ମୋବାଇଲ ଫୋନ୍ ସେମାନେ ଇଟାରେ ଛେଚି ଭାଙ୍ଗିଛନ୍ତି ।

ଗାଁ ଲୋକଙ୍କ ଦାବି, ସ୍ମାର୍ଟଫୋନ୍‌ର ନିଶାରେ ବିରକ୍ତ ହୋଇ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ଅନୁସାରେ, ମୋବାଇଲ ଫୋନ୍ ନିଶା ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ, ସମ୍ପର୍କ ଓ ଜୀବନଶୈଳୀ ଉପରେ ଖରାପ ପ୍ରଭାବ ପକାଉଥିଲା । ଏହା ଦ୍ୱାରା ଅପରାଧ ମଧ୍ୟ ବଢୁଥିଲା । ଏଠାରେ ଲୋକେ ପୂର୍ବରୁ ପରସ୍ପର ସହ ମିଳିମିଶି ସମୟ ବିତାଉଥିଲେ । କିନ୍ତୁ ଏବେ ଅଧିକାଂଶ ଲୋକ ଫୋନ୍‌ରେ ବ୍ୟସ୍ତ ରହୁଛନ୍ତି । ସ୍ମାର୍ଟଫୋନ୍ ଯୋଗୁ ସେମାନଙ୍କ କାମ ଓ ସାମାଜିକ ଜୀବନ ଉପରେ ପ୍ରଭାବ ପଡୁଛି । ସେଥିପାଇଁ ସେମାନେ ସ୍ମାର୍ଟଫୋନ୍ ଛାଡ଼ି ପୁଣି ଥରେ କିପ୍ୟାଡ୍ ଫୋନ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ବିଶ୍ୱାସ, ଏହା ଦ୍ୱାରା ମୋବାଇଲ ଫୋନ୍ ନିଶାଠୁ ଦୂରରେ ରହିପାରିବେ ଏବଂ ଦୈନନ୍ଦିନ ଜୀବନ ଉପରେ ଅଧିକ ଧ୍ୟାନ ଦେଇପାରିବେ ।