Odia News Portal

ପୌର ଓ ପଞ୍ଚାୟତ ନିର୍ବାଚନରେ ଗେମ ଚେଞ୍ଜର ହେବେ ପର୍ଯ୍ୟବେକ୍ଷକ, ପ୍ରଦର୍ଶନ ଉପରେ ଭବିଷ୍ୟତ ନିର୍ଭର

ଭୁବନେଶ୍ୱର : ଆଗାମୀ ପୌର ଓ ପଞ୍ଚାୟତ ର୍ନିବାଚନରେ ଦଳୀୟ ପର୍ଯ୍ୟବେକ୍ଷକମାନେ ଗେମ ଚେଞ୍ଜର ହେବେ । ଏମାନଙ୍କ ଉପରେ ହିଁ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଝବୁତ କରିବା ସହିତ ଭୋଟ ବଢାଇବା ନିର୍ଭର କରୁଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ତିନିଦଳ ବିଜେଡି, ବିଜେପି ଓ କଂଗ୍ରେସ ପର୍ଯ୍ୟବେକ୍ଷକ ନିଯୁକ୍ତି ସହିତ କମିଟିମାନ ଗଠନ କରୁଥିବାବେଳେ ବିଜେଡି ଏକ୍ଷେତ୍ରରେ ଆଗରେ ରହିଥିବା ଲକ୍ଷ୍ୟ କରାଯାଉଛି ।

ନିର୍ବାଚନ ଯେତିକି ପାଖେଇ ଆସୁଛି ତିନି ଜଣ ନିଜ ନିଜର କାୟା ବିସ୍ତର ଲାଗି ତଳ ସ୍ତରରେ ଲାଗି ପଡିଛନ୍ତି । ତେବେ ଏ କ୍ଷେତ୍ରରେ ବିଜେଡି ଓ ବିଜେପି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ବିଜେପିର ସଂଗଠନ କାର୍ପଟଦାରମାନେ ଜିଲ୍ଲା ସ୍ତରରେ ଡେରା ପକାଇଥିବାବେଳେ ବିଜେଡି ନିଯୁକ୍ତ କରିଥିବା ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପର୍ଯ୍ୟବେକ୍ଷକମାନେ ଜିଲ୍ଲାକୁ ଘନ ଘନ ଗସ୍ତକରୁଛନ୍ତି । ତେବେ ପର୍ଯ୍ୟବେକ୍ଷକମାନେ କିଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କ ଉପରେ ବି ନଜର ରଖିବାକୁ ଆଉ କିଛି ଚଦ୍ମବେଶୀ ଅଘୋଷିତ ପର୍ଯ୍ୟବେକ୍ଷକ ଅଛନ୍ତି । ଦୁଇ ଦଳ ତଳ ସ୍ତରରେ ଘାଟ ଜଗିଥିବାବେଳେ କଂଗ୍ରେସ କିନ୍ତୁ ବିଳମ୍ବରେ ହେଲେ ବି ନିଇତି ସାମ୍ବାଦିକ ସମ୍ମିଳନୀ ସହ ଏବେ ଜିଲ୍ଲା ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛି ।

ଜିଲ୍ଲା ଗସ୍ତରରେ ଥିବା ପର୍ଯ୍ୟବେକ୍ଷକମାନଙ୍କର ମୁଖ୍ୟ କାମ ହେଉଛି ଅନ୍ୟ ଦଳରେ ଥିବା ଭୋଟ ଯୋଗାଡିଆମାନଙ୍କୁ କୌଣସି ପ୍ରକାରେ ନିଜ ଦଳକୁ ଆଣିବା । ଏଥିପାଇଁ ପ୍ରଥମ ନିଜ ସ୍ତରରେ ଉଦ୍ୟମ କରିବା ଓ ଯଦି ଏଥିରେ ସଫଳ ନହେଲେ ତେବେ ଉପରକୁ ଖବର ଦେବା । ଏଥିପାଇଁ ଯାହା ଦରକାର ତାହା ସବୁ ଯୋଗାଡ କରିବା । ତଳ ସ୍ତରରେ ଏଭଳି ରାଜନୀତି ଯୋଗୁଁ ଏବେ ବିଭିନ୍ନ ଦଳରେ ଧିରେ ଧିରେ ମିଶ୍ରଣ ପର୍ବ ଜୋର ଧରୁଛି । ବିରୋଧିଦଳରୁ ଯିଏ ଯେତେ ଅଧିକ କର୍ମୀଙ୍କୁ ଟାଣି ଆଣିପାରୁଛି ଦଳରେ ତାହାର ପତିଆରା ବଢିବାରେ ଲାଗିଛି ।

ଅନ୍ୟ ପକ୍ଷରେ ଆସନ୍ତା ଫେବୃୟାରୀ-ମାର୍ଚ୍ଚରେ ପଞ୍ଚାୟତ ନିର୍ବାଚନ ଓ ଏହା ପୂର୍ବରୁ କିମ୍ବା ପରେ ପରେ ପୌର ର୍ନିବାଚନ ହେବାର ସୁରାକ ମିଳୁଥିବାରୁ ପର୍ଯ୍ୟବେକ୍ଷକମାନଙ୍କର ଗୁରୁଦାୟିତ୍ୱ ବଢିଛି । ବିଶେଷକରି ଶାସକଳର ପର୍ଯ୍ୟବେକ୍ଷକମାନେ ମନ୍ତ୍ରୀ କିମ୍ବା ଅନ୍ୟ କୌଣସି ବଡ ପଦପଦବୀ ଆଶାରେ ଦିନରାତି ଏକ କରିଥିବାବେଳେ ବିରୋଧିଦଳର ପର୍ଯ୍ୟବେକ୍ଷକମାନେ ୨୦୨୪ ର୍ନିବାଚନର ଟିକଟକୁ ଆଖିଆଗରେ ରଖି ଗୋଟିଚାଳନା କରୁଛନ୍ତି । ତଳସ୍ତରରେ ଏମାନଙ୍କ କାର୍ଯ୍ୟକୁ ଦେଖି ପରଦା ଆଢୁଆଳରେ ଥିବା ଆଉ କିଛି ଅଘୋଷିତ ପର୍ଯ୍ୟବେକ୍ଷକ ସେମାନଙ୍କ ରିପୋର୍ଟକାର୍ଡ ଲେଖୁଛନ୍ତି । ତେଣୁ ଏହି ପର୍ଯ୍ୟବେକ୍ଷକମାନଙ୍କର କାମରୁ ଖସିବାର ବାଟ ନାହିଁ ।

ତେବେ ବିରୋଧିଦଳର କର୍ମୀ ଆସି ମିଶନ୍ତୁ କି ନମିଶନ୍ତୁ, ପୌର ଓ ପଞ୍ଚାୟତ ନିର୍ବାଚନରେ ଭୋଟ ହାର ବଢାଇ ଦଳୀୟ ନେତା ଓ ସମର୍ଥକଙ୍କୁ ଜିଣାଇବାକୁ ପଡିବ । ଏହା ନହେଲେ ଯେଉଁସବୁ ସ୍ଥାନରେ ଦଳର ବିପର୍ଯ୍ୟୟ ହେବ ସେହି ଅଞ୍ଚଳ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କ ଭବିଷ୍ୟତ ଅନ୍ଧାର ବୋଲି କୁହାଯାଉଛି । ତେଣୁ ତଳ ସ୍ତରରେ ଯେଉଁଭଳି ଭାବେ ରାଜନୀତିର ପଶାକାଠି ଗଡୁଛି ସେଥିରୁ ପର୍ଯ୍ୟବେକ୍ଷକମାନେ ହିଁ ଏଥର ଗେମ ଚେଞ୍ଜର ହେବୋଲି କୁହାଯାଉଛି ।