Odia News Portal

ରାଜ୍ୟ ବଜେଟ୍: କୃଷି କ୍ଷେତ୍ର ପାଇଁ ୨୦ ହଜାର କୋଟି ବ୍ୟୟବରାଦ

ଭୁବନେଶ୍ବର: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ମୁଖ୍ୟମନ୍ତ୍ରୀ ଉପସ୍ଥିତିରେ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଉଛି । ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଛି ।ସେହିପରି କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ବଜେଟ୍‌ରେ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଚଳିତ ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଚାଷୀମାନଙ୍କୁ ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଶତକଡା ୨ ପ୍ରତିଶତ ରିହାତି ସୁଧରେ ଯୋଗାଇ ଦିଆଯିବ । ଏଥିପାଇଁ ଇଣ୍ଟରେଷ୍ଟ ସବସିଡି ଯୋଜନାରେ ଚାଷୀମାନଙ୍କୁ ସୁଧ ରିହାତି ପ୍ରଦାନ ନିମନ୍ତେ ୮୧୯କୋଟି ଟଙ୍କା ବ୍ୟୟବରାଦ ହୋଇଛି ।ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠିର ବ୍ୟବସ୍ଥା ହୋଇଛି। ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ଟଙ୍କାର ବ୍ୟୟବରାଦ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟିର ବ୍ୟୟବରାଦ ହୋଇଛି। କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ। ଜଳସେଚନ ପାଇଁ ମୋଟ୍ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ୍ ୭୧୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ପାର୍ବତୀ ଗିରି ଜଳସେଚନ ପାଇଁ ୮୬୦ କୋଟି ବ୍ୟୟବରାଦ। ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ଅଟକଳ କରାଯାଇଛି।

ସେହିଭଳି ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦ କୋଟି। ବିପର୍ଯ୍ୟୟ ତ୍ଵରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ ହୋଇଛି। ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହୋଇଛି।ମତ୍ସ୍ୟ ଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟ ଅଟକଳ କରାଯାଇଛି। ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟ ବରାଦ। ପଶୁ ଚିକିତ୍ସା ପାଇଁ ପଶୁ ହେଲ୍ପ ଲାଇନ ସେବା ଆରମ୍ଭ ହେବ। ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା କଥା ମଧ୍ୟ କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।