Odia News Portal

ଜନପଥ​‌ରେ ହେବ ମୋଦିଙ୍କ ରୋଡ୍‌ ସୋ’, ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତାରେ ମୁତୟନ ହେବେ ୫୫ ପ୍ଲାଟୁନ୍‌ ଫୋର୍ସ

ରାଜଧାନୀବାସୀ ଦେଖିବେ ମୋଦିଙ୍କ ରୋଡ୍ ସୋ’। ଏଥିପାଇଁ ଜନପଥରେ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା। ଜନପଥ ହେଲା ସିଲ୍। ଅପରାହ୍ଣ ୨ଟାରୁ ରୋଡ୍ ସୋ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ଅପରାହ୍ନ ୪ଟାରୁ ରୋଡ୍ ସୋ’ ଶେଷ ହେବା ଯାଏଁ ଜନପଥର ଆରପାର୍ଶ୍ୱରେ ଅର୍ଥାତ୍ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାକୁ ବନ୍ଦ କରାଯିବ ।

ଏହା ସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ସିଲ୍ କରାଯିବ।

ମୋଦିଙ୍କ ରୋଡ୍ ସୋ’ ପାଇଁ ମୋଟ ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ । ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ୩ଟି ଆଣ୍ଟି ଟେରର୍ ଗ୍ରୁପ୍ ମଧ୍ୟ ରୋଡ୍ ସୋ’କୁ ଜଗିବ ।

୧୨ ମଣ୍ଡପରେ କଳା, ସଂସ୍କୃତିର ଝଲକ

ରୋଡ୍ ସୋ’ରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକର ଦେଖିବାକୁ ମିଳିବ । ବିଜେପି ପାର୍ଟି ଅଫିସରେ କୋଣାର୍କ ଚକ୍ର ଓ ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ । ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଭିତରେ ରାସ୍ତାକଡ଼ରେ ୧୨ଟି ଆଇକନିକ ମଣ୍ଡପ ନିର୍ମାଣ ସରିଛି । ସେଥିରେ ସମ୍ବଲପୁରୀ, ସାନ୍ତାଳି ଭଳି ଏକାଧିକ ଲୋକନୃତ୍ୟ ପ୍ରଦର୍ଶନ କରାଯିବ । ଝାଞ୍ଜ ମୃଦଙ୍ଗରେ ମୋଦିଙ୍କୁ ସ୍ୱାଗତ କରାଯିବ ।

୧୧୭ ଗଳି ରାସ୍ତାରେ ଜଗିବେ ପୁଲିସ

ବିମାନବନ୍ଦରଠାରୁ ବିଜେପି ଦଳୀୟ ଦପ୍ତର, ଜନପଥରେ ବାଣୀବିହାର ଯାଏଁ ରୋଡ୍ ସୋ’, ଜୟଦେବବିହାର, ରାଜଭବନ ଯାଏଁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଯିବ । ଏହି ରୁଟ୍ରେ ମୋଟ ୧୧୭ଟି ଗଳି ରାସ୍ତା ଚିହ୍ନଟ କରିଛି କମିଶନରେଟ୍ ପୁଲିସ । ପ୍ରତି ଗଳିକୁ ପୁଲିସ ଜଗିବେ । ଟ୍ରାଫିକ୍ ପୋଷ୍ଟ ଓ କିଛି ବଡ଼ ଗଳିଠାରେ ଗୋଟିଏ ଲେଖାଏଁ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ । କାରକେଡ୍ ଯିବା ବେଳେ ଗଳି ରାସ୍ତାରୁ ମୁଖ୍ୟ ରାସ୍ତା ଉପରକୁ କାହାରିକୁ ଛଡ଼ାଯିବନି । ରୋଡ୍ ସୋ’ ବେଳେ ରାମମନ୍ଦିରଠୁ ବାଣୀବିହାର ଭିତରେ ୧୫ଟି ଗଳି ଚିହ୍ନଟ କରାଯାଇଛି । ସେଠାରେ ବ୍ୟାପକ ମାତ୍ରାରେ ପୁଲିସ ଜଗିବେ ।

ପୁଷ୍ପ ବର୍ଷାରେ କଟକଣା

ମୋଦିଙ୍କ କାର୍କେଡ୍ ଉପରକୁ ସାଧାରଣ ଜନତା ପୁଷ୍ପ ବର୍ଷା କରିପାରିବେନି । ରସାୟନଯୁକ୍ତ ଫୁଲରେ ବିପଦ ଆଶଙ୍କା ଥିବାରୁ ଏସପିଜି ବରିଷ୍ଠ ଅଧିକାରୀ ଏଭଳି କଟକଣା କଷିଛନ୍ତି । ରୋଡ ସୋ’ ପୂର୍ବରୁ ଏନେଇ ଯାଞ୍ଚ କରିବାକୁ କମିଶନରେଟ୍ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ବିଜେପିର ଦଳୀୟ ନେତାମାନେ ଫୁଲ ବର୍ଷା କରିବାକୁ ଅନୁମତି ମିଳିଛି ।

ଶନିବାର ମୋଦିଙ୍କ ପ୍ରଚାର ରହିଛି ରାଜ୍ୟର ୩ଟି ସ୍ଥାନରେ । ୧୧ ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ ଲୋକସଭାର ଫୁଲବାଣୀ ଷ୍ଟାଡିୟମରେ ମୋଦି ପ୍ରଚାର ସଭା କରିବେ । ଦିନ ସାଢ଼େ ୧୧ଟା ପରେ ବଲାଙ୍ଗୀର ଓ ଅପରାହ୍ନ ସାଢ଼େ ୧ଟାରେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେବେ । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।