ଓଡ଼ିଶାର ଗୌରବମୟ ଇତିହାସର ମୂକସାକ୍ଷୀ ହେଉଛି ଖଣ୍ଡଗିରି ଓ ଉଦୟଗିରି । ଖଣ୍ଡଗିରି ଓ ଉଦୟଗିରି ଯୁଗ୍ମ ପାହାଡ଼କୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି । ବିଭାଗୀୟ ସ୍ଥାୟୀ କମିଟି-୩ ପକ୍ଷରୁ ଏହି ଐତିହାସିକ ସ୍ଥଳର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଛି ।
ଖଣ୍ଡଗିରି ଓ ଉଦୟଗିରିରେ ସ୍ଥାପନ ହେବ ଖାରବେଳଙ୍କ ମୂର୍ତ୍ତି
ବିଭାଗୀୟ ସ୍ଥାୟୀ କମିଟି-୩ ପକ୍ଷରୁ ଖଣ୍ଡଗିରି ଓ ଉଦୟଗିରି ଐତିହାସିକ ସ୍ଥଳର ବିକଶିତ ପ୍ରସ୍ତାବର ମୁଖ୍ୟ ଆକର୍ଷଣ ହେଉଛି କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ । କମିଟିର ସୁପାରିଶ ଅନୁଯାୟୀ, ଖଣ୍ଡଗିରିକୁ ଏକ ସଂପୂର୍ଣ୍ଣ ‘ପର୍ଯ୍ୟଟନ ଗୌରବ’ ଭାବେ ବିକଶିତ କରାଯିବ । ଏହାକୁ ପର୍ଯ୍ୟଟନ ବିଭାଗର ଏକ ପ୍ରମୁଖ ପ୍ରକଳ୍ପ ଭାବେ ଗ୍ରହଣ କରାଯିବ । ତେବେ ଏହା ବର୍ତ୍ତମାନ ଏକ ସୁପାରିଶ ପର୍ଯ୍ୟାୟରେ ରହିଛି । ପର୍ଯ୍ୟଟନ ବିଭାଗ ଏହି ସମସ୍ତ ପ୍ରସ୍ତାବର ଅନୁଧ୍ୟାନ କରିବ । ଜମି ଅଧିଗ୍ରହଣ ଓ ଅର୍ଥ ବ୍ୟବସ୍ଥା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ମେ’ ମାସ ଶେଷ ସୁଦ୍ଧା ଏହାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହିଁ ଏହି ପ୍ରକଳ୍ପର ଭାଗ୍ୟ ନିର୍ଦ୍ଧାରଣ ହେବ ।
