Odia News Portal

ବାଘଛାଲ ସହ ହାତୀ ଦାନ୍ତ ଜବତ କଲା ଏସଟିଏଫ୍

*ଡିଲ୍ ସମୟରେ ଦୁଇ ଜଣ ଗିରଫ |

ନୟାଗଡ଼: ରାଜ୍ୟରେ ଥମିବାର ନାଁ ଧରୁନି ବନ୍ୟଜନ୍ତୁ ସାମଗ୍ରୀ କାରବାର। ନୟାଗଡ ଓ ବଡମ୍ବାରୁ ବାଘଛାଲ ଓ ହାତୀଦାନ୍ତ ଜବତ ହୋଇଛି | ନୟାଗଡ଼ ଜିଲ୍ଲା ଗଣିଆ-ଚାମୁଣ୍ଡିଆ ରୋଡ୍ ମାଆ କଳାପାଟ ମନ୍ଦିର ନିକଟରେ ରେଡ୍ କରି ଏସଟିଏଫ୍ ଏନେଇ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ରମେଶ ପ୍ରତିହାରୀ ଓ ବିମ୍ବାଧର ତାରେ । ଗତକାଲି ଏହି ରେଡ୍ ହୋଇଥିଲା। କଲରାପତରିଆ ବାଘର ଛାଲ ଓ ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଏସ୍‌ଟିଏଫ୍।

ଏ ନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଜବତ ବାଘଛାଲ ଓ ହାତୀ ଦାନ୍ତକୁ କେମିକାଲ୍ ଏକଜାମିନେସନ୍ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ । ଏବେ ମାମଲାର ତଦନ୍ତ ଜାରି ରହିଛି । ଏସ୍‌ଟିଏଫ୍‌ର ସୂଚନା ଅନୁସାରେ, ବର୍ଷକ ମଧ୍ୟରେ ୧୩ଟି କଲରାପତରିଆ ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୩ଟି ବଜ୍ରକାପ୍ତା, ୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି। ୧୫ଟି ମାମଲା ରୁଜୁ କରାଯାଇ ୨୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।