Odia News Portal

ବର୍ଷକୁ ୧୦ ଦିନ ବିନା ବ୍ୟାଗରେ ସ୍କୁଲ ଯିବେ ଛାତ୍ରଛାତ୍ରୀ

ଆଗାମୀ ଶିକ୍ଷାବର୍ଷ ୨୦୨୬-୨୭ ଠାରୁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଲାଗୁ ହେବ ନୂଆ ବ୍ୟବସ୍ଥା। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି। ନୂଆ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ଚିନ୍ତାମୁକ୍ତ ଓ ପ୍ରାୟୋଗିକ ଶିକ୍ଷା ପ୍ରଦାନ କରିବା। ଏହା ଅନୁଯାୟୀ ଶିକ୍ଷାବର୍ଷ ମଧ୍ୟରେ ପିଲାମାନଙ୍କ ପାଇଁ ରହିବ ୧୦ ଦିନର ‘ବ୍ୟାଗ୍ ଲେସ୍ ଡେ’। ଅର୍ଥାତ୍ ଏହି ଦିନଗୁଡ଼ିକରେ ଛାତ୍ରଛାତ୍ରୀମାନେ ବହି ବସ୍ତାନି ବିନା ସ୍କୁଲକୁ ଆସିବେ।

ଏହି ସମୟରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଶିକ୍ଷକମାନେ ପିଲାମାନଙ୍କୁ ବିଭିନ୍ନ ସ୍ଥାନକୁ ଏକ୍ସପୋଜର ଭିଜିଟ୍ ରେ ନେଇପାରିବେ। ଏହା ମାଧ୍ୟମରେ ପିଲାମାନେ କେବଳ ପାଠପୁସ୍ତକ ନୁହେଁ, ବରଂ ସମାଜ, ବ୍ୟବସ୍ଥା ଓ ନୀତି-ନିୟମ ସମ୍ପର୍କରେ ପ୍ରାକ୍ତିକ ଜ୍ଞାନ ହାସଲ କରିପାରିବେ। ‘ଓଡ଼ିଶା ପାଠ୍ୟକ୍ରମ ରୂପରେଖ-ବିଦ୍ୟାଳୟ ଶିକ୍ଷା ୨୦୨୫’ ଅନୁଯାୟୀ, ପ୍ରତ୍ୟେକ କାର୍ଯ୍ୟ ଦିବସରେ ମୋଟ ୭ଟି ପିରିୟଡ଼ ରହିବ।

ସେହିପରି, ପାଠପଢ଼ା ଶେଷ ହେବା ପରେ ଶିକ୍ଷକମାନେ ଦିନସାରା କାର୍ଯ୍ୟର ସମୀକ୍ଷା କରିବା ସହ ପରଦିନର ପାଠଦାନ ପାଇଁ ଯୋଜନା ପ୍ରସ୍ତୁତ କରିବେ।ଏହାଛଡ଼ା ବିଦ୍ୟାଳୟ ପରିଚାଳନା କମିଟି ବା ଏସଏମସି ଏବଂ ଅଭିଭାବକମାନଙ୍କ ସହ ନିୟମିତ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଅଗ୍ରଗତି ଉପରେ ନଜର ରଖାଯିବ। ତେବେ ନୂଆ ଶିକ୍ଷାନୀତିର ଏହି ପଦକ୍ଷେପ ପିଲାମାନଙ୍କ ଶିକ୍ଷାକୁ କେତେ ଅଧିକ ପ୍ରାୟୋଗିକ ଓ ଆକର୍ଷଣୀୟ କରିପାରୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।