ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାକୁ ଦେଖି ସ୍କୁଲ ଛୁଟି ଘୋଷଣା । ୪୦ ଡିଗ୍ରୀ ଉପରେ ରହିଛି ଅଧା ଓଡ଼ିଶା । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି । ଆସନ୍ତା ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ । ୧୩ ସହରର ତାପମାତ୍ରା ୪୦ ଉପରେ ରହିଛି । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି । ଜଳବାୟୁ ପରିବର୍ତ୍ତନ ପରିବେଶ ସହ ଶିକ୍ଷା ବ୍ୟବସ୍ଥାକୁ ପଛକୁ ଟାଣୁଛି ।
ଚଳିତ ବର୍ଷ ଏପ୍ରିଲ ତାତି ରେକର୍ଡ ଭାଙ୍ଗୁଥିବାରୁ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । ଖରା ଯୋଗୁଁ ରାଜ୍ୟର ୧୩ରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ଫଳରେ ପିଲାଙ୍କ ପାଠ ପଢା ଏକ ପ୍ରକାର ବନ୍ଦ ହୋଇଯାଇଛି । ଖରା ଓ ଗୁଳୁଗୁଳି ପାଇଁ ଗଞ୍ଜାମରେ ଆଜିଠାରୁ ୩ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ପାଇଁ ବନ୍ଦ ରହିବ ।
