Odia News Portal

ବଢ଼ିପାରେ ଖରାଛୁଟି, ସଙ୍କେତ ଦେଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାଛୁଟି ଅବଧି ବୃଦ୍ଧି ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପିଲାମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଶିକ୍ଷା ବିଭାଗର ସର୍ବୋଚ୍ଚ ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁସାରେ, ଯଦି ତାପମାତ୍ରା କମିବ ନାହିଁ ଏବଂ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ତେବେ ପରିସ୍ଥିତିର ସମୀକ୍ଷା କରି ଖରାଛୁଟି ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଏହା ପୂର୍ବରୁ ରାଜ୍ୟ ସରକାର ସ୍କୁଲଗୁଡ଼ିକ ପାଇଁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ ତାରିଖରୁ ଖରାଛୁଟି ଆରମ୍ଭ କରିବା ନେଇ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଥିଲା। ସେତେବେଳେ ମଧ୍ୟ ପାଣିପାଗ ସ୍ଥିତିକୁ ବିଚାର କରି ଛୁଟି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା।

ଏହି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଖରା ପରିସ୍ଥିତି ଏବଂ ପିଲାମାନଙ୍କ ସୁରକ୍ଷାକୁ ନେଇ SRCଙ୍କ ସହ ଆଲୋଚନା ହୋଇଛି। ଆଗାମୀ ଦିନରେ ପାଣିପାଗର ସ୍ଥିତି ଅନୁଯାୟୀ ଖରାଛୁଟି ବୃଦ୍ଧି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।