Odia News Portal

ଆସୁଛି ବାତ୍ୟା ‘ୟଶ୍’: ପ୍ରସ୍ତୁତି ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟଶ୍। ଏନେଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସକାଳେ ଏହା ଲଘୁଚାପର ରୂପ ନେଇଥିବା ସମୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୩ ତାରିଖ ସକାଳ ସୁଦ୍ଧା ଏହା ଅବପାତର ରୂପ ନେବ । ସେହିପରି ୨୪ ତାରିଖରେ ଏହା ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ତେବେ ବାତ୍ୟା ‘ୟାସ୍’କୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବାତ୍ୟା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଛି । ସେହିଭଳି ଏସଆରସିଙ୍କ କହିବା ଅନୁଯାୟୀ, ଆଜି ସକାଳ ସୁଦ୍ଧା ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜୀବୀ ମାନେ କୂଳକୁ ଫେରି ଆସିଛନ୍ତି । ସେହିଭଳି କୃଷି ବିଭାଗ ପକ୍ଷରୁ ମଧ୍ୟ ଚାଷୀମାନଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଅମଳ ହୋଇ ସାରିଥିବା ଫସଲକୁ ସାଇତି ରଖିବାକୁ ଗୁମ୍ଫା ନିର୍ଦ୍ଦେଶ ଦିଆଯାଇଛି ।ପବନର ବେଗ ଓ ବର୍ଷା କେତେ ପରିମାଣରେ ହେବ ସେନେଇ ସଠିକ୍ ସୂଚନା ମିଳିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ସରପଞ୍ଚ, ୱାର୍ଡ ସଭ୍ୟ, ଏସଚଏଜି ଗ୍ରୁପ୍ ସ୍ଥାନାନ୍ତରଣରେ ସାମିଲ୍ ହେବେ ବୋଲି ଏସଆରସି ସୂଚନା ଦେଇଛନ୍ତି।

ସେହିଭଳି ବାତ୍ୟା ସମୟରେ ଅକ୍ସିଜେନ୍ ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ ସିସିସିରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ରଖାଯିବ ।ସମସ୍ତ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଅତିରିକ୍ତ ଜେନେରେଟର ସହ ପିଇବା ପାଣି ବ୍ୟବସ୍ଥା କରାଯାଉଛି । ଡାକ୍ତରଖାନା ମାନଙ୍କରେ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ୨ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ମହିଳାଙ୍କୁ ମେଡିକାଲ ନିଆଯାଉଛି। ସ୍ୱେଚ୍ଛାସେବୀ ସଂସ୍ଥା ଗୁଡ଼ିକ ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସେବା ଯୋଗାଇବେ । ଶେଷ ମୁହୂର୍ତ୍ତ ଯାଏ ଅପେକ୍ଷା ନକରି ବାତ୍ୟା ସୂଚନା ମିଳିଲେ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି ।

କାଲିଠାରୁ ଅଗ୍ନିଶମ, ଓଡ୍ରାଫ୍, ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାକୁ ଯିବେ । ଟେଲିକମ୍ ବିଭାଗ ମଧ୍ୟ ଯୋଜନା କରିଛି । ସମସ୍ତ ଟେଲିକମ୍ ଅପରେଟର ଏକାଠି କାମ କରିବେ ବାତ୍ୟା ସମୟରେ । ଶକ୍ତି ବିଦ୍ୟୁତ୍ ବିଭାଗ ମଧ୍ୟ ଅତିରିକ୍ତ ମାନବ ସମ୍ବଳ ନେଇ ପଦକ୍ଷେପ ନେବେ ।