Odia News Portal

କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

କରୋନା ଟିକାକରଣ ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଇଛନ୍ତି ବଡ଼ ନିଷ୍ପତ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଯେଉଁମାନେ କରୋନା ଟିକା ନେଇ ନାହାଁନ୍ତି, ସେମାନଙ୍କ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ କଟକଣା ଲଗାଇବା ଅନୁଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟମାନଙ୍କୁ ଏପରି କଟକଣା ହଟାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାରଙ୍କ ବର୍ତ୍ତମାନର କୋଭିଡ-୧୯ ଟିକା ନୀତିକୁ ମନମୁଖି ବୋଲି କୁହାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଶରୀର ଉପରେ ଅଧିକାର ଅଛି ଏବଂ ଟିକାକରଣକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ | ସୁପ୍ରିମକୋର୍ଟ କହିଛନ୍ତି ଯେ ଅନେକ ରାଜ୍ୟ ଟୀକାକରଣକୁ ବାଧ୍ୟତାମୂଳକ କରିଛନ୍ତି। କୋଭିଡରୁ ବଞ୍ଚିବା ପାଇଁ କର୍ତ୍ତୃପକ୍ଷ ଟିକାକରଣକୁ ବାଧ୍ୟତାମୂଳକ କରିଥିଲେ ମଧ୍ୟ ଏହା ସନ୍ତୁଳିତ ଏବଂ ଆନୁପାତିକ ନୁହେଁ। କୋର୍ଟ କହିଛନ୍ତି ଯେ ଟିକାକରଣ କରିନଥିବା ଲୋକଙ୍କ ଠାରେ କୋଭିଡ ସଂକ୍ରମଣ ଅଧିକ ବ୍ୟାପିଥାଏ ବୋଲି ଦର୍ଶାଇବାକୁ କୌଣସି ସନ୍ତୋଷଜନକ ତଥ୍ୟ ଉପସ୍ଥାପନ କରାଯାଇ ନାହିଁ।

ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର କଟକଣା ଲଗାଇ ପାରିବେ, କିନ୍ତ ଏଭଳି କଟକଣା ବ୍ୟବସ୍ଥା ଗୋପନୀୟତା ଅଧିକାର ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ ହେବା ଉଚିତ। ଅର୍ଥାତ୍ ଗୋପନୀୟତା ଅଧିକାର ଉପରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରତିବନ୍ଧକ ଆଇନଗତ, ଆବଶ୍ୟକ ଏବଂ ଆନୁପାତିକ ମାନ୍ୟତା ପୂରଣ କରିବା ପରି ଦେଖାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ (ଏନଟିଏଜିଆଇ) ପୂର୍ବତନ ସଦସ୍ୟ ଜାକୋବ୍ ପୁଲିଏଲଙ୍କ ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ପୁଲିଏଲ ନିଜ ପିଟିସନରେ କହିଥିଲେ ଯେ ଅନେକ ରାଜ୍ୟ ଟିକାକରଣ ବାଧ୍ୟତାମୂଳକ କରିଛନ୍ତି । ଏପରି ଆଦେଶକୁ ଅସାମ୍ବିଧାନିକ ଅଭିହିତ କରିବାକୁ ସେ ଦାବି କରିଥିଲେ ।