Odia News Portal

ଟି-୨୦ ବିଶ୍ୱକପରେ ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ

ଦୁବାଇ: ଶନିବାର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୧)ରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । କ୍ରିକେଟ୍‌ ଜଗତର ଦୁଇ ଶକ୍ତିଶାଳୀ ଦଳ ତଥା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ପଏଣ୍ଟ ତାଲିକାରେ ଇଂଲଣ୍ଡ ଶୀର୍ଷ ସ୍ଥାନ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଆଜିର ମ୍ୟାଚ୍‌ ଗ୍ରୁପ-୧ର ସବୁଠୁ ଶକ୍ତିଶାଳୀ ଦଳ ଚୂଡ଼ାନ୍ତ କରିବ । ଇଂଲଣ୍ଡ ପ୍ରଥମ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ୱେଷ୍ଟ ଇଣ୍ଡିଜ୍‌ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଉଭୟ ମ୍ୟାଚ୍‌ରେ ଦଳର ବ୍ୟାଟ୍ସମ୍ୟାନଙ୍କୁ ପରିଶ୍ରମ କରିବାକୁ ପଡ଼ି ନଥିଲା । କିନ୍ତୁ ଅଷ୍ଟ୍ରେଲିଆ ବୋଲି ବାହିନୀ ସେମାନଙ୍କ ପାଇଁ ଅସଲ ପରୀକ୍ଷା ହେବ । ଜୋସ ହାଜେଲଉଡ୍‌, ପ୍ୟାଟ୍‌ କମିନ୍ସ ଓ ମିଚେଲ ଷ୍ଟାର୍କ ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ । ମିଚେଲ ମାର୍ଶ, ମାର୍କସ ଷ୍ଟଇନିସ୍‌ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର । ଗ୍ଲେନ ମ୍ୟାକ୍ସୱେଲ୍‌ ଓ ଆଡାମ ଜାମ୍ପା ସ୍ପିନର ଦାୟିତ୍ୱ ତୁଲାଇବେ । ଇଂଲଣ୍ଡକୁ ବୋଲିଂ ବିଭାଗ ସୁଦୃଢ କରିବାକୁ ହେବ । ଡେଭିଡ୍‌ ୱାର୍ଣ୍ଣର ଓ ଆରୋନ ଫିଞ୍ଚ ଫର୍ମକୁ ଫେରିଛନ୍ତି । ସ୍ମିଥ ଓ ମ୍ୟାକ୍ସୱେଲ୍‌ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଆସନ୍ତା କାଲି ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।