Odia News Portal

ପ୍ରଥମଥର ଲାଗି ଟି-୨୦ ବିଶ୍ୱକପରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଡିସିସନ୍ ରିଭ୍ୟୁ ସିଷ୍ଟମ (ଡିଆରଏସ୍) ବ୍ୟବହାର କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ଆଇସିସିର ବିବୃତ୍ତି ଅନୁଯାୟୀ, ପ୍ରତ୍ୟେକ ଇନିଂସରେ ଉଭୟ ଦଳକୁ ଡିଆରଏସ୍ ଅଧୀନରେ ଦୁଇଟି ରିଭ୍ୟୁ ସୁଯୋଗ ମିଳିବ।

ସାଧାରଣତଃ ଟି-୨୦ ମ୍ୟାଚ୍ ରେ ଗୋଟିଏ ଦଳ ପ୍ରତି ଇନିଂସରେ କେବଳ ଗୋଟିଏ ରିଭ୍ୟୁ ପାଇଥାଏ, କିନ୍ତୁ କୋଭିଡ-ମହାମାରୀ ସମୟରେ ଅନେକ ମ୍ୟାଚରେ ଅଭିଜ୍ଞ ଅମ୍ପାୟାରଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ଜୁନ୍ ମାସରେ ଆଇସିସି କ୍ରିକେଟ୍ ର ପ୍ରତ୍ୟେକ ଫର୍ମାଟରେ ଇନିଂସ ପିଛା ଦଳମାନଙ୍କୁ ଆଉ ଏକ ଅତିରିକ୍ତ ରିଭ୍ୟୁ ସୁଯୋଗ ଦେଇଥିଲା। ଆଇସିସିର ଏହି ନିଷ୍ପତ୍ତି ପରେ ପ୍ରତ୍ୟେକ ଦଳକୁ ଟି-୨୦ ଏବଂ ଦିନିକିଆରେ ପ୍ରତି ଇନିଂସରେ ଦୁଇଟି ରିଭ୍ୟୁ ଏବଂ ଟେଷ୍ଟର ପ୍ରତ୍ୟେକ ଇନିଂସରେ ଉଭୟ ଦଳ ପାଇଁ ତିନୋଟି ରିଭ୍ୟୁ ସୁଯୋଗ ଦିଆଯାଉଛି।

ଟି-୨୦ ବିଶ୍ୱକପ ପାଇଁ ଆଇସିସି ବିଳମ୍ବରେ ଆରମ୍ଭ ହେବାକୁ ଥିବା କିମ୍ବା ବର୍ଷା ପ୍ରଭାବିତ ମ୍ୟାଚ୍ ପାଇଁ ମଧ୍ୟ ନିୟମ ପରିବର୍ତ୍ତନ କରିଛି। ଗ୍ରୁପ୍ ପର୍ୟ୍ୟାୟରେ ପୂର୍ବରୁ ପ୍ରଚଳିତ ସାଧାରଣ ନିୟମ ପରି ଡକ୍ୱର୍ଥ-ଲୁଇସ୍ ପଦ୍ଧତି ଅନୁସାରେ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବା ପାଇଁ ପ୍ରତ୍ୟେକ ଦଳ ଅତିକମରେ ପାଞ୍ଚ ଓଭର ବ୍ୟାଟିଂ କରିବାକୁ ହେବ । ଏଥିସହିତ ସେମିଫାଇନାଲ ଏବଂ ଫାଇନାଲରେ ଡକୱର୍ଥ-ଲୁଇସ ଦ୍ବାରା ମ୍ୟାଚର ଫଳାଫଳ ନିର୍ଣ୍ଣୟ କରିବା ପାଇଁ ପ୍ରତ୍ୟେକ ଦଳ ଅତିକମରେ ଦଶ ଓଭର ବ୍ୟାଟିଂ କରିବାକୁ ପଡିବ।