ଭାରତରୁ ପାକ୍କୁ ଚେତାବନୀ ଦେଲେ ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍ ଖାନ୍ ମୁତ୍ତାକି By Swadhikar News Last updated Oct 11, 2025 ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍ ଖାନ୍ ମୁତ୍ତାକି ଏବେ ଭାରତ ଗସ୍ତରେ ଥିବାବେଳେ ପାକିସ୍ତାନ କାବୁଲ ଉପରେ ଏୟାର ଷ୍ଟ୍ରାଇକ୍ କରି ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିଛି। ଭାରତରେ ଥିବା ମୁତ୍ତାକି ଏହି ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ପାକିସ୍ତାନ ଆଫଗାନିସ୍ତାନ ସହ ଖେଳିବା ବନ୍ଦ କରିବା ଉଚିତ। ଆଫଗାନିସ୍ତାନକୁ ଉତ୍ତେଜିତ କଲେ ପାକ୍କୁ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ମୁତ୍ତାକି ଚେତାଇ ଦେଇଛନ୍ତି। ତାଲିବାନ ଶାସିତ ଆଫଗାନିସ୍ତାନର ଶୀର୍ଷ କୂଟନୀତିଜ୍ଞ ଭାବେ ଭାରତ ଗସ୍ତରେ ଆସିଥିବା ମୁତ୍ତାକି ନୂଆଦିଲ୍ଲୀରୁ ପାକିସ୍ତାନକୁ ଏହି ଚେତାବନୀ ଜାରି କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ। ସେ କହିଛନ୍ତି ଯେ ଆଫଗାନିସ୍ତାନ ବିରୋଧରେ କୌଣସି ସାହସ ଦେଖାଇଲେ କିଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ସେ ସଂପର୍କରେ ପାକିସ୍ତାନ ବ୍ରିଟେନ ଏବଂ ଆମେରିକା ସହ ଆଲୋଚନା କରିବା ଉଚିତ। ମୁ୍ତ୍ତାକି କହିଛନ୍ତି, ଆଫଗାନିସ୍ତାନବାସୀ ସମସ୍ତଙ୍କ ସହ ଭଲ ସମ୍ପର୍କ ଚାହୁଛନ୍ତି। ଆମେ ପାକିସ୍ତାନ ସହିତ ଭଲ ସମ୍ପର୍କ ଚାହୁଛୁ, ଯେପରି ଆମେ ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଚାହୁଛୁ। ଏହା ଉଭୟ ଦିଗକୁ ଯାଏ, କିନ୍ତୁ ଯଦି ପାକିସ୍ତାନ ଆମକୁ ଉତ୍ତେଜିତ କରେ, ତେବେ ଏଭଳି ଖେଳ ସେମାନଙ୍କୁ ବହୁତ ମହଙ୍ଗା ପଡ଼ିବ। ଆମେ ଏକ କୂଟନୈତିକ ମାର୍ଗ ଚାହୁଛୁ ଏବଂ ଏହା ପାକିସ୍ତାନ ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ କ୍ରମାଗତ ଭାବେ ଆଫଗାନିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗ କରିଆସୁଛି । ଏଥି ସହିତ ତାଲିବାନ ମଧ୍ୟ କ୍ରମାଗତ ଭାବେ ପାକିସ୍ତାନ ବିରୋଧରେ ସମାନ ଅଭିଯୋଗ ଆଣିଥାଏ। ୨୦୨୧ରେ ଆମେରିକା ଆଫ୍ଗାନ ମାଟିରୁ ବିଦାୟ ନେବା ପରେ ତାଲିବାନ କ୍ଷମତାକୁ ଆସିଲା ଏବଂ ପାକିସ୍ତାନ ଆନନ୍ଦିତ ହୋଇଥିଲା। କିନ୍ତୁ ସମୟ ସହିତ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ପାକିସ୍ତାନକୁ ସମାଲୋଚନା କରୁଥିବା ମୁତ୍ତାକି ଭାରତ ସହ ତାଙ୍କ ସମ୍ପର୍କକୁ ନେଇ ବହୁତ ସକରାତ୍ମକ ମନୋଭାବ ରଖିଛନ୍ତି। ସେ ଭାରତ ସହ ସମ୍ପର୍କ ଉପରେ ନିଜର ପୁରୁଣା ଆଭିମୁଖ୍ୟ ବଜାୟ ରଖିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁତ୍ତାକି କହିଛନ୍ତି ଯେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ପ୍ରାଚୀନ କାଳରୁ ରହିଆସିଛନ୍ତି। ଆଫଗାନିସ୍ତାନ କୌଣସି ପ୍ରକାରେ ଭାରତ ବିରୋଧରେ ଏହାର ମାଟିକୁ ବ୍ୟବହାର କରିବାକୁ ଦେବ ନାହିଁ। ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ସମୟରେ ମୁତ୍ତାକି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ବିକାଶ ସହଯୋଗକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଥିଲେ। swadhikarswadhikar newstaliban Share