Odia News Portal

ବିବିସି ଏକ ‘ଅପପ୍ରଚାର ମେସିନ’, ଯାହା ‘ଓପିନିୟନ ଜର୍ନାଲିଜିମ’ କରୁଛି

ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ତଥା ସରକାରଙ୍କ ମୁଖପତ୍ର ଆଜି ଭାରତର ଆୟକର ଅଧିକାରୀମାନଙ୍କ ଦ୍ବାରା ବ୍ରିଟିସ ବ୍ରୋଡ୍‌କାଷ୍ଟିଂ କର୍ପୋରେସନ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟୋଳୟ ଉପରେ ଚଢ଼ଉର ସମର୍ଥନ କରାଯାଇଛି। ଏହାର ସମ୍ପାଦକୀୟରେ ବିବିସିକୁ ଏକ ‌‘ଅପପ୍ରଚାର ମେସିନ୍’ ବୋଲି କୁହାଯାଇଛି। ବିବିସିର ଟିକସ ଠକେଇ ଅଭିଯୋଗ ଉପରେ ଆଇଟି ସର୍ଭେର କିଛିଦିନ ପରେ ‘ଦ ଗ୍ଲୋବାଲ ଟାଇମ୍ସ’ରେ ଏଭଳି ମତ ପ୍ରକାଶ ପାଇଛି। ଏହି ଟାବ୍ଲଏଡ୍ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଖବରକଗଜ ‘ଦ ପିପୁଲ୍‌ସ ଡେଲି’ ତରଫରୁ ପ୍ରକାଶ ପାଇଥାଏ। ଏଥିରେ ବିବିସିର ସାମ୍ବାଦିକତା ଶୈଳୀ ଉପରେ ପ୍ରଶ୍ନ ଉଠାଯାଇଛି। ଏଥିରେ ଲେଖାଯାଇଛି, ବିବିସି ଏକ ପାଶ୍ଚାତ୍ୟ ମିଡ଼ିଆ ସଂସ୍ଥା। ଏହା ନିଜକୁ ବସ୍ତୁନିଷ୍ଠ ଓ ସତ୍ୟନିଷ୍ଠ ବୋଲି ଦାବି କରିଥାଏ। କିନ୍ତୁ ଏହା ବାସ୍ତବରେ ସତ୍ୟ ରିପୋର୍ଟିଂ କରେ ନାହିଁ ବରଂ ଏହା ‘ଓପିନିୟନ ଜର୍ନାଲିଜିମ୍’ କରୁଛି। ଏହା ଏକ ପ୍ରୋପାଗଣ୍ଡା ମେସିନ ଯାହା ପାଶ୍ଚାତ୍ୟ ଆଦର୍ଶର ହିଁ ପ୍ରଚାର କରୁଛି ଏବଂ ଅନ୍ୟରାଷ୍ଟ୍ରକୁ ଗୌଣ ଦେଖାଇବାକୁ ଅପପ୍ରଚାର ମେସିନ୍‌ ପାଲଟିଯାଇଛି।

ଇଂଲଣ୍ଡକୁ ସମାଲୋଚନା କରି ଗ୍ଲୋବାଲ ଟାଇମ୍ସ ଲେଖିଛି, ବ୍ରିଟିସ ରାଜନେତାମାନେ ବିବିସିକୁ ଜାତୀୟ ସମ୍ପଦ କହି ଗର୍ବ କରୁଛନ୍ତି। କିନ୍ତୁ ଏହି ପ୍ରୋପାଗଣ୍ଡା ମେସିନ ଅନେକ ଦେଶରେ ଦୁର୍ନାମ ଅର୍ଜିସାରିଲାଣି। ପାଶ୍ଚାତ୍ୟ ଦେଶଗୁଡ଼ିକ ଆଦର୍ଶ ମାନଦଣ୍ଡ ଓ ମୂଲ୍ୟବୋଧ ଆପଣାଇଛନ୍ତି। ଅନ୍ୟ କୌଣସି ଦେଶର ଯାହାକିଛି ସେହି ମାନଦଣ୍ଡରେ ନ ପଡ଼ିଲେ ତାକୁ ସେମାନେ ନିଷିଦ୍ଧ କରୁଛନ୍ତି। ସେମାନେ ନିଜକୁ ବଡ଼ ବୋଲି ଭାବୁଛନ୍ତି ଓ ଅନ୍ୟମାନଙ୍କୁ ଛୋଟ ନଜରରେ ଦେଖୁଛନ୍ତି। ଏହି ଟାବ୍ଲଏଡ୍ ଲେଖିଛି ଯେ, ଗୋଟିଏ ଦେଶର ଅନ୍ତର୍ଜାତୀୟ ମର୍ଯ୍ୟାଦା ଦୁଇଟି ଜିନିଷରୁ ଜଣାପଡ଼େ। ଗୋଟିଏ ସେହି ଦେଶର ସାମର୍ଥ୍ୟ ଓ ଅନ୍ୟଟି ମିଡ଼ିଆ ଏଥିକ୍ସ (ନୀତି) ପ୍ରତି ନିଷ୍ଠା। ବିବିସି ଏକ ନୀତିହୀନ ସଂସ୍ଥା ବୋଲି ଗ୍ଲୋବାଲ ଟାଇମ୍ସ କହିଛି।