Odia News Portal

ସଙ୍କଟ ମୋଚନ ପାଲଟିଲେ ପୁଲିସ୍‌ କମିଶନର

*ଓଡିଶା ପୁଲିସ୍‌ରେ ଗତ ୫ଦିନ ଧରି ଲାଗିଥିବା କଳାଦାଗକୁ ଛଡାଇବାରେ ଗ୍ରହଣ କଲେ ପ୍ରମୁଖ ଭୂମିକା ।
*ଧୈର୍ଯ୍ୟର ସହ ସମସ୍ୟାକୁ ସାମ୍ନା ସହ ହାଇଦରକୁ ନିଶ୍ଚିତ ଗିରଫ କରାଯିବ ବୋଲି ଦେଇଥିଲେ ଦୃଢୋକ୍ତି ।
*ଫେରାର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ କଲେ ଗିରଫ ।

ଭୁବନେଶ୍ୱର : ପୁଲିସ୍‌ କମିଶନର ଭାବେ ଦାୟିତ୍ୱ ନେବାପରେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଛି ବଡ ସଫଳତା । କେବଳ ସଫଳତା ନୁହେଁ ଓଡିଶା ପୁଲିସ୍‌ରେ ଗତ ୫ଦିନ ଧରି ଲାଗିଥିବା କଳାଦାଗକୁ ଛଡାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଫେରାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ଗିରଫ କରି ଶ୍ରୀ ପ୍ରିୟଦର୍ଶୀ ଓଡିଶା ପୁଲିସ୍‌କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେଇଛନ୍ତି । ଉଭୟ ସରକାର ଓ ପୁଲିସ୍‌ ବିଭାଗର ପାଇଁ ସେ ପାଲଟିଯାଇଛନ୍ତି ସଙ୍କଟମୋଚନ ।ଚଳିତମାସ ୧୦ତାରିଖରୁ ହାଇଦର କଟକ ବଡ ମେଡିକାଲରୁ ଫେରାର ହେବାପରେ ଓଡିଶା ପୁଲିସ୍‌ର ନିଜ ଏକ ପ୍ରକାର ହଜି ଯାଇଥିଲା । ଏହି ଘଟଣାରେ ଚାରିଆଡୁ ପୁଲିସ୍‌କୁ ସମାଲୋଚନା କରାଯାଇଥିଲା ।

ଏପରିକି ଫେରାର ପାଇଁ ପୁଲିସ୍‌ ଦାୟୀ ବୋଲି କହିବାକୁ ଅନେକ ପୁରୁଖା ପୁଲିସ୍‌ ଅଫିସର ବି କହିବାକୁ ପଛାଇ ନଥିଲେ । ହେଲେ ପ୍ରଥମ ଦିନରୁ ହିଁ ଶ୍ରୀ ପ୍ରିୟଦର୍ଶୀ ଧୈର୍ଯ୍ୟର ସହ ସମସ୍ୟାକୁ ସାମ୍ନା କରିବା ସହିତ ହାଇଦରକୁ ନିଶ୍ଚିତ ଗିରଫ କରାଯିବ ବୋଲି ଦୃଢୋକ୍ତି କରିଥିଲେ । ତାଙ୍କର ଏଭଳି ଦାବି ଯୋଗୁଁ ସମସ୍ତଙ୍କ ନଜର କମିଶନରଙ୍କ ଉପରେ ଥିଲା ।ଘନ ଘନ ବୈଠକ ସହିତ ସଫଳ ରଣନୀତି ଯୋଗୁଁ ଆଜି ହାଇଦରକୁ କମିଶନରେଟ ପୁଲିସ୍‌ ତେଲେଙ୍ଗାନାରୁ ଗିରଫ କରିବାରେ ସଫଳ ହୋଇଛି । ଯେତେବେଳେ ହାଇଦର ଦେଶଛାଡି ପଳାଇଛି ବୋଲି ଚର୍ଚ୍ଚା ହେଉଥିଲା ସେତେବେଳ ତାକୁ ଧରିବା ଏକ ବଡ ଚ୍ୟାଲେଞ୍ଜ ଥିଲା ।

ଓଡିଶା ପୁଲିସ୍‌ ମଧ୍ୟ ନିଜର ଇଜ୍ଜତ ବଞ୍ଚାଇବାପାଇଁ ଲାଗି ପଡିଥିଲା । ଏଭଳି ସ୍ଥିତିରେ ସୌମେନ୍ଦ୍ରଙ୍କ ରଣନୀତି ସଫଳ ହେବା ସହିତ କମିଶନର ଭାବେ ଦାୟିତ୍ୱ ନେବା ପରେ ପରେ ଏକ ବଡ ସଫଳତା ତାଙ୍କ ହାତରେ ଲାଗିଛି ।ହାଇଦର ଗିରଫ ହେବାପରେ ଖୋଦ୍‌ ପୁଲିସ୍‌ ମହାନିଦେ୍ର୍ଦଶକ ଟୁଇଟ୍‌ କରି ପୁଲିସ୍‌ କମିଶନର ଓ ତାଙ୍କ ଟିମ୍‌କୁ ସାବାସୀ ଦେଇଛନ୍ତି । ଯଦିଓ ଟୁଇଟ୍‌ରେ ଅଧିକ କିଛି ଉଲ୍ଲେଖ କରାଯାଇ ନାହିଁ ତଥାପି ଓଡିଶା ପୁଲିସ୍‌ ଯେ କେତେ ପରିମାଣରେ ଆଶ୍ୱସ୍ତ ହୋଇଛି ତାହା ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି । ଏଭଳି ଏକ ଘଟଣାରେ ସୌମେନ୍ଦ୍ର ରାଜ୍ୟ ପୁଲିସ୍‌ ପାଇଁ ଏକ ପ୍ରକାର ସଙ୍କଟମୋଚନ ଭାବେ ଉଭା ହୋଇଛନ୍ତି । କାରଣ ହାଇଧର ଫେରାର ଘଟଣା ଯେଭଳି ରାଜନୈତିକ ରୂପ ନେଉଥିଲା ଗିରଫରେ ଆଉ କିଛିଦିନ ଡେରି ହୋଇଥିଲେ ଉଭୟ ପୁଲିସ୍‌ ଓ ସରକାର ଅଧିକ ପରିମାଣରେ ବଦନାମ ହେବା ଏକ ପ୍ରକାର ନିଶ୍ଚିତ ଥିଲା ।

ପୁଲିସ୍‌ କମିଶନରଙ୍କ ଏଭଳି ସଫଳତା ପରେ ଦୁଇ ମହାନଗରୀ ପୁଲିସ୍‌ଙ୍କ ମନୋବଳ ବଢିବା ସହିତ ଅପରାଧିଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି । ହାଇଦରକୁ ଯଦି ଏତେ ସହଜରେ ଧରାଯାଇ ପାରୁଛି ତେବେ ରାଜଧାନୀ ସମେତ କଟକ ସହରରୁ ଅପରାଧିଙ୍କୁ ସାବାଡ କରିବା ସୌମେନ୍ଦ୍ରଙ୍କ ବାଁ ହାତର ଖେଳ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।