Odia News Portal

ହକିର ଏନ୍ତୁଡ଼ିଶାଳରେ ସର୍ବବୃହତ ଷ୍ଟାଡିୟମ୍

ସୁନ୍ଦରଗଡ଼: ରାଉରକେଲା ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁରୀ ଭାଷାରେ ଉଦବୋଧନ | ଆପଣ ମାନକେ ସବକେ ମୋର ଜୁହାର । ଆଜି ରାଉରକେଲା ଆସି ମୁଁ ବହୁତ ଖୁସି । ହକିର ଏନ୍ତୁଡ଼ିଶାଳରେ ମୁଁ ପହଁଚି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ବିକାଶର ମୂଳଦୁଆ ପକାଇଥିଲେ ବିଜୁ ବାବୁ, ତେଣୁ ଯେବେ ରାଉରକେଲା ଆସେ ବିଜୁ ବାବୁଙ୍କ କଥା ମନେ ପଡେ ବୋଲି ଅଭିବାଦନ ଆରମ୍ଭରୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଉରକେଲାରେ ନିର୍ମାଣ ହେବାକୁ ଯାଉଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ନାଁ ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୁନ୍ଦରଗଡର ବଡ ପରିଚୟ ହେଉଛି ହକି । ସୁନ୍ଦରଗଡ ହେଉଛି ହକିର ଏନ୍ତୁଡିଶାଳ, ଏଠିକାର ଖେଳାଳି ଦେଶ ପାଇଁ ସୁନାମ ଆଣିଛନ୍ତି । ସୁନ୍ଦରଗଡର ମାଟି ଓ ପାଣିରେ ହକି ରହିଛି । ଏସବୁ ଭିତରେ ଆଗାମୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ କରିବାକୁ ଯାଉଛି ଓଡ଼ିଶା । ବେଲଜିୟମ, ଅଷ୍ଟ୍ରେଲିଆ ଓ ମାଲେସିଆ ଭଳି ଦେଶକୁ ପଛରେ ପକାଇ ୨୦୨୩ ପୁରୁଷ ବିଶ୍ୱକପ ହକି ଆୟୋଜନ କରିବାକୁ ମନୋନୀତ ହୋଇଛି ଓଡ଼ିଶା । ନବୀନ କହିଛନ୍ତି, ପୁଣିଥରେ ବିଶ୍ୱକପ ଆୟୋଜନ ପାଇଁ ଯେତେବେଳେ ପ୍ରସ୍ତାବ ଆସିଥିଲା ସେତେବେଳେ ମୋ ମନକୁ ରାଉରକେଲା କଥା ପ୍ରଥମେ ଆସିଥିଲା ।

୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଦେଶର ସବୁଠୁ ବଡ ହକି ଷ୍ଟାଡିୟମ ନିର୍ମାଣ ସହ ଏହାକୁ ଅର୍ନ୍ତଜାତୀୟ ସ୍ତରର କରିବାକୁ କହିଛନ୍ତି ନବୀନ । ସେହିପରି ରାଉରକେଲା ହେଉଛି ବିକାଶର ସହର । ୨୦୦୦ ମସିହା ପରଠାରୁ ରାଉରକେଲା ଦ୍ରୁତ ବିକାଶରେ ସାମିଲ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମା ମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ତାଙ୍କର ଉଦ୍‌ଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ମୁଣ୍ଡାରି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବୀ ଜଣାଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର ୨୮୦୦ କୋଟି ଥିବାବେଳେ, ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । `