Odia News Portal

ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର କରୁଛି ଅଧିକ ସଂକ୍ରମଣ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ସୂଚନା ଦେଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହରକୁ ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ବିଷେଶଜ୍ଞ । ପୂର୍ବରୁ କୋଭିଡ ସହ ଲଢି ଆମେ ସଫଳତା ପାଇଛନ୍ତି । ଦ୍ୱିତୀୟ ଲହରକୁ ନେଇ ଜନସାଧାରଣ ଆତଙ୍କିତ ଅଛନ୍ତି । କୋଭିଡ ଦ୍ୱିତୀୟ ଲହରକୁ ମୁକିବିଲା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ବିଶେଷଜ୍ଞ କହିଛନ୍ତି ।

କୋଭିଡ ସ୍ଥିତି ନେଇ ପ୍ରେସମିଟ କରି ପରାମର୍ଶ ଦେଇଛନ୍ତି ଅଭିଜ୍ଞ ଡାକ୍ତର। ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ସଂକ୍ରମଣ କରୁଛି। ଭୂତାଣୁ ଅଧିକ ସମୟ ବାୟୁମଣ୍ଡଳରେ ରହୁଥିବାରୁ ମାସ୍କର ସଠିକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା। ଟିକା ନେଇଥିଲେ ମଧ୍ୟ ପୁନଃ ସଂକ୍ରମିତ ହେବାର ଆଶଙ୍କା ଅଛି ବୋଲି ସେ ସୂଚନା ଦେଇଛନ୍ତି |ଶିଶୁ ଓ କିଶୋରଙ୍କୁ ମଧ୍ୟ ଏହି ଭୂତାଣୁ ଆକ୍ରାନ୍ତ କରୁଛି । ମାସ୍କ ଠିକ ସେ ନପିନ୍ଧିବାରୁ ବି କରୋନା ଆକ୍ରାନ୍ତ ହେଉଛନ୍ତି ଲୋକ । ଘର ଓ ବାହାରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ । ଟିକା ନେଇଥିଲେ ବି ସଂକ୍ରମିତ ହେବାର ସମ୍ଭାବନା ରହିଛି । ମନରେ ଦ୍ୱିଧା ନରଖି ମେ ୧ରୁ ସମସ୍ତେ ଟିକା ନେବା ଜରୁରୀ ।

ଏଣୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଏକମାତ୍ର ନିରାପଦ ଉପାୟ ହେଲା ମାସ୍କ ବ୍ୟବହାର। ଘରେ କିମ୍ବା ଗାଡ଼ି ଚାଳନା ବେଳେ ମଧ୍ୟ ମାସ୍କର ବ୍ୟବହାର ଅନିବାର୍ଯ୍ୟ । ଯୁବଗୋଷ୍ଠୀଙ୍କ ଚଳପ୍ରଚଳ ଅଧିକ ଥିବାରୁ ସେମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ । ଏଣୁ ଡବଲ ମାସ୍କ ବ୍ୟବହାର ଉପରେ ସେ ଗୁରୁତ୍ବରୋପ କରିଛନ୍ତି । ଅନ୍ୟପଟେ ଡାକ୍ତର ସଂପଦ ଦାସ କହିଛନ୍ତି, ନୂଆ ଭୂତାଣୁର ଲକ୍ଷଣ ଭିନ୍ନ ରହିଛି ।ଦ୍ୱିତୀୟ ଲହରରେ ରୋଗୀଙ୍କ ଠାରେ ନୂଆ ଲକ୍ଷଣ ଦେଖାଯାଉଛି । ବାନ୍ତି, ପତଳା ଝାଡା ହେବା ଲକ୍ଷଣ ରୋଗୀଙ୍କ ଠାରେ ଦେଖାଯାଉଛି । ବାୟୁ ଚଳାଚଳ କରୁନଥିବା କୋଠରୀରେ ସଂକ୍ରମଣର ଭୟ ଅଧିକ ରହିଛି । ପୂର୍ବ ବର୍ଷ ସଂକ୍ରମିତ ହେଉଥିବା ଲୋକ ଏଥର ପୁଣି ଆକ୍ରାନ୍ତ ହେଉଛନ୍ତି ।