Odia News Portal

ନୂତନ ଟିକାକେନ୍ଦ୍ର ଖୋଲିବାକୁ ଜଟଣୀ କଂଗ୍ରେସର ଦାବିପତ୍ର

ଜଟଣୀ : ଜଟଣୀ ଅଞ୍ଚଳରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ଭୟାବହ ହେଉଥିବାରୁ ଜଟଣୀ ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ |ଉଭୟ ଜଟଣୀ ସହର ଏବଂ ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଚାଲିଛି |ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି |ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଏହି ଅଞ୍ଚଳରେ ଜଣେ ଷ୍ଟାଫ ନର୍ସଙ୍କ ମୃତ୍ୟୁ ଘଟିଛି | ଏଭଳି ଭୟଙ୍କର ପରିସ୍ଥିତିରେ ଟୀକାକରଣକୁ ଜୋରଦାର କରାଯିବା ଆବଶ୍ୟକ |କିନ୍ତୁ ଦୁଃଖର ବିଷୟ ଜଟଣୀରେ ସହରାଞ୍ଚଳରେ କେବଳ ଗୋଟିଏ ମାତ୍ର ଟୀକାକରଣ କେନ୍ଦ୍ର ଖୋଲିଛି |କରୋନାକୁ ପ୍ରତିରୋଧ କରିବାକୁ ଜନତାଙ୍କ ମଧ୍ୟରେ ଉତ୍ସାହ ପରିଲିକ୍ଷିତ ହେବା ସହ ଟୀକା ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେଉଛନ୍ତି |

ସେପଟେ ଜଟଣୀ ଗ୍ରାମାଞ୍ଚଳରେ ଟୀକାକରଣ କେନ୍ଦ୍ର ନଥିବାରୁ ଆଜି ପର୍ଯ୍ୟନ୍ତ ମାତ୍ର ୫ ପ୍ରତିଶତ ଲୋକ ଟୀକା ନେଇଛନ୍ତି |ଲୋକମାନେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖରାରେ ଧାଡିରେ ଛିଡା ହୋଇ ନାମ ପଞ୍ଜିକରଣ କରାଉଛନ୍ତି |ଲକ୍ଷାଧିକ ଲୋକଙ୍କ ପାଇଁ ମାତ୍ର ଗୋଟିଏ ଟୀକାକରଣ କେନ୍ଦ୍ର ଯୋଗୁଁ ଲୋକମାନଙ୍କ ଭିତରେ ବହୁ ଅସନ୍ତୋଷ ଦେଖା ଗଲାଣି |ଏହି ପରିପ୍ରେକ୍ଷୀରେ ଆଜି ଜଟଣୀ ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁଙ୍କ ନେତୃତ୍ୱରେ ଜଟଣୀ କଂଗ୍ରେସର ଏକ ଟିମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି |ଅନ୍ୟ ମାନଙ୍କ ମଧ୍ୟରେ ଲୁସେନ ରାୟ,ଅନନ୍ତ ବେହେରା, ଗଟେଶ୍ବର ବେହେରା,ସଂକେତ ପାଟଶାଣୀ,କାଳନ୍ଦୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |

ଜଟଣୀର ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଖୁବଶୀଘ୍ର ଟୀକା ଦେବା ପାଇଁ ନୂତନ ଟୀକାକରଣ କେନ୍ଦ୍ର ଖୋଲିବାକୁ ଦାବି ହୋଇଛି |ସହରାଞ୍ଚଳ ପାଇଁ କୁଦିଆରୀ ଠାରେ ଗୋଟିଏ ଏବଂ ଜଟଣୀ ବ୍ଲକ ଅଧୀନ ଜାମୁକୋଳି ଏବଂ ବେଣାପଞ୍ଜରୀ ଠାରେ ଦୁଇଟି ନୂତନ ଟୀକାକରଣ କେନ୍ଦ୍ର ଖୋଲି ଲୋକମାନେ କିଭଳି ଯଥାଶୀଘ୍ର ଟୀକା ନେଇପାରିବେ ତାର ସୁବ୍ୟବସ୍ଥା କରାଯିବା ସହ ଜଟଣୀକୁ ଆହୁରି ଅଧିକ ଟୀକା ଯୋଗାଇ ଦେବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି |