Odia News Portal

ଛତ୍ରଭଙ୍ଗ ଦେଲେଣି ବିଜେଡିର ସାତ ମୁଣ୍ଡିଆଳ: ସବୁ ଏକାଠି ଥିଲେ, ଏବେ କେହି କାହା ମୁହଁ କୁ  ଚାହୁଁନାହାନ୍ତି

କ୍ଷମତାରୁ ଗଲା ପରେ ବିଜେଡି ଆଭ୍ୟନ୍ତରୀଣ ରାଜନୀତି ଅଧିକ ଚର୍ଚ୍ଚାରେ ରହୁଛି। ସୁପରିଚାଳନା ପାଇଁ ଆଗକୁ ଆସିଥିବା ସପ୍ତରଥୀଙ୍କ ମଧ୍ୟରେ ଫାଟ ଏବେ ଦଳର ପରିଚାଳନାରେ ବଡ଼ ବିଭ୍ରାଟ ସୃଷ୍ଟି କରିଛି। ସବୁ ଚର୍ଚ୍ଚାରୁ ଏହି ଚର୍ଚ୍ଚା ବଳିଗଲାଣି। ବିଜେଡିରେ ଯୁବ-ଛାତ୍ର ସଭାପତି ନିଯୁକ୍ତି ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ବଢ଼ୁଥିବା ବେଳେ ସପ୍ତରଥୀଙ୍କ ହାବଭାବ ଏଥିରେ ନିଆଁ ଲଗାଇ ଦେଇଛି। ନିର୍ବାଚନ ପରାଜୟ ପରେ ଦ୍ବିତୀୟ କ୍ଷମତା କେନ୍ଦ୍ରକୁ ନେଇ ବିବାଦ ଉଠିଥିଲା। ଭି କେ ପାଣ୍ଡିଆନ, ନବୀନଙ୍କ ପାଖେ ପାଖେ ରହୁଥିଲେ ମଧ୍ୟ ସିଧାସଳଖ ରାଜନୈତିକ ଆଲୋଚନା କାହାରି ସହ କରୁ ନଥିଲେ। ଏହି ସମୟରେ ସାତ ଜଣ ଆଗ ଧାଡ଼ିର ନେତାଙ୍କୁ ଅଘୋଷିତ ଭାବେ ମୁଣ୍ଡିଆଳ ସଜାଯାଇଥିଲା। ସେମାନେ ହେଲେ ଦେବୀ ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ପ୍ରତାପ ଦେବ, ପ୍ରଣବପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ। ସାଂଗଠନିକ ଅନୁଭବ ଦୃଷ୍ଟିରୁ ଏମାନେ ନୂଆ ମାମ୍‌ଲତିକାର ସାଜିଥିଲେ। ବିଭିନ୍ନ ସ୍ଥାନରେ ଏକାଠି ବସି ଦଳୀୟ ନିଷ୍ପତ୍ତି ନେବାରେ ବଡ଼ ଭୂମିକା ନେଉଥିଲେ। କିନ୍ତୁ ଘଟଣାକ୍ରମରେ ଏମାନଙ୍କର କାହାରି ସହିତ କାହାର ପଡ଼ୁନି। ପରସ୍ପର ଭିତରେ ସନ୍ଦେହ ଓ ଅବିଶ୍ବାସର ବାତାବରଣ ବଢ଼ି ଯାଇଛି। ସମସ୍ତଙ୍କ ଆଭିମୁଖ୍ୟ ବି ଭିନ୍ନ ଭିନ୍ନ ରହୁଛି। ପ୍ରଥମତଃ ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି)କୁ ନେଇ ସପ୍ତରଥୀଙ୍କ ଭିତରେ ବଡ଼ ଫାଟ ସୃଷ୍ଟି ହୋଇଥିଲା। ବେ ଯୁବ ଓ ଛାତ୍ର ଶାଖାରେ ସଭାପତି ନିଯୁକ୍ତି ନେଇ ବିବାଦ ଦେଖାଦେଇଛି। ଅସନ୍ତୁଷ୍ଟ ଯୁବ ନେତାମାନେ ମେଳି କରି ଏହି ସପ୍ତରଥୀଙ୍କୁ ଭେଟିବାକୁ ଚେଷ୍ଟା କରୁଥିଲେ ହେଁ ତାହା ସଫଳ ହେଉ ନାହିଁ। ଜଣଙ୍କୁ ଭେଟି ଅସନ୍ତୋଷ ଜଣାଇଲା ବେଳେ ଅନ୍ୟ ଜଣେ ଧରାଛୁଆଁ ଦେଉନାହାନ୍ତି। ସମସ୍ତେ କହୁଛନ୍ତି ନିଯୁକ୍ତି ବେଳେ ସେମାନଙ୍କ ସହ ପରାମର୍ଶ କରାଯାଇନାହିଁ। ଏଣୁ ସେମାନେ ମୁଣ୍ଡ ଖେଳାଇବେ ନାହିଁ। ସଭାପତି ନିଯୁକ୍ତି ନେଇ କୁହୁଳୁଥିବା ଅସନ୍ତୋଷକୁ ଥମାଇବା ପାଇଁ ପ୍ରଣବ ପ୍ରକାଶଙ୍କୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ତାଙ୍କର କା‌ଟ୍‌ତି ଆଉ ଆଗ ଭଳି ନଥିବାରୁ ସେ ବୁଝାଇଲେ ମଧ୍ୟ କେହି ବୁଝୁନାହାନ୍ତି।