Odia News Portal

ରାଜଧାନୀରେ ମାତିଛନ୍ତି ପାହାନ୍ତିଆ ଚୋର

ବେପାରୀ ଛାନିଆ ।
ହାତରେ ହାତ ରଖି ବସିଛି ପୋଲିସ୍ ।

ଭୁବନେଶ୍ବର: ରାଜଧାନୀର ସବୁଠାରୁ ସୁରକ୍ଷିତ ଅଞ୍ଚଳ କୁହାଯାଉଥିବା ରାଜଭବନ ଆଖପାଖରେ ଏବେ ପାହାନ୍ତିଆ ଚୋର ମାତିଛନ୍ତି । ପାୱାରହାଉସ ଛକ ଠାରୁ ଗୋବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ପାହାନ୍ତରୁ ଯା ଆସ କରୁଥିବା ମାଛ ଓ ଅନ୍ୟାନ୍ୟ  ବେପାରୀଙ୍କୁ ଟାର୍ଗେଟ କରୁଛନ୍ତି । ଗୋଟିଏ ତିନିଜଣିଆ ଗ୍ୟାଙ୍ଗ୍‌ ଏଭଳି କାଣ୍ଡ ଭିଆଉଥିବା ନେଇ ଅଭିଯୋଗ ହେଉଛି ।ଦୁଇଦିନ ତଳେ ଜଣେ ମାଛବେପାରୀଙ୍କୁ ପ୍ରବଳ ମାଡ ମାରି ୨୫ହଜାର ଟଙ୍କା ଛଡାଇ ନେଇଛନ୍ତି ।

ଏହାର କିଛିଦିନ ପୂର୍ବରୁ ଆଉ ଜଣେ ମାଛ ବେପାରୀଙ୍କୁ ମଧ୍ୟ ଅନୁରୂପ ଢଙ୍ଗରେ ବାଢେଇ ପଇସା ଛଡେଇ ନେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହରେ ଓୟୁଏଟି ଅଞ୍ଚଳରେ ରହୁଥିବା ମାଛ ବ୍ୟବସାୟୀ ଜଣଙ୍କ ୪ନମ୍ବର ହାଟରୁ ମାଛ କିଣିବାପାଇଁ ଭୋର ୪ଟାରୁ ଘରୁ ବାହାରିଥିଲେ । ତେବେ ରାଜଭବନ ଗୋଲେଇ ଟପି କିଛିବାଟ ଆଗକୁ ଯିବାପରେ ଗୋଟିଏ ମୋଟରସାଇକେଲରେ ୩ଜଣ ଯୁବକ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ପଇସା ଛଡେଇ ନେଇ ପଳାଇଥିଲେ । ମାଡ ଖାଇ ଲହୁଲୁହାଣ ହୋଇଥିବା ବ୍ୟବସାୟୀ ଜଣଙ୍କ କାନମୁଣ୍ଡା ଆଉଁଷି ଘରକୁ ଫେରିଥିଲେ ।

ପୂର୍ବରୁ ଆକ୍ରମଣର ଶିକାର ହୋଇଥିବା ଜଣେ ମାଛ ବ୍ୟବସାୟୀଙ୍କ କହିବା କଥା ଯେ କିଛି ଯୁବକ ପାହାନ୍ତିଆ ସମୟରେ ରାଜଭବନ ଓ ଏହାର ଆଖପାଖରେ ଚକ୍କର କାଟୁଛନ୍ତି । ସେମାନେ ସାଧାରଣତଃ ବଡି ଭୋରରୁ ବାହାରୁଥିବା ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି । ଏମାନଙ୍କୁ ଦେଖିରେ ଲାଗୁଛି ଷ୍ଟେସନରୁ ଫେରୁଥିବେ । କିନ୍ତୁ ସେମାନେ ସେହି ଅଞ୍ଚଳରେ ଚକ୍କର କାଟିଥାନ୍ତି । ବ୍ୟବସାୟୀଙ୍କୁ ଦେଖିଲେ ଆକ୍ରମଣ କରି ଟଙ୍କା ପଇସା ଛଡାଇ ନେଇଥାନ୍ତି ।କିଛି ବ୍ୟବସାୟୀଙ୍କ କହିବାକଥା ଯେ ରାତି ୩ଟା ପରେ ରାଜଧାନୀରେ ଆଉ ପେଟ୍ରୋଲିଂ ହେଉନାହିଁ । ଯେଉଁମାନେ ସଞ୍ଜ ପହରୁ ପଇଁତରା ମାରୁଛନ୍ତି ବିଳମ୍ବିତ ରାତିରେ କୌଣସି ନିଛାଟିଆ ସ୍ଥାନରେ ପିସିଆର ରଖି ଶୋଇ ଯାଉଛନ୍ତି ।

ଏହି ପାହାନ୍ତିଆ ଚୋରମାନେ ସାଧାରତଃ ରାତି ସାଢେ ୩ଟାରୁ ଭୋର ୫ଟା ଭିତରେ ସେମାନଙ୍କ କାରବାର କରୁଛନ୍ତି । ଏହି ସମୟରେ ପୁଲିସ୍‌ ପଇଁତରା ନଥିବାରୁ ନିର୍ଭୟରେ ରାହାଜାନି କରୁଛନ୍ତି । ସାଧାରଣତଃ ୪ନମ୍ବର ମାଛ ହାଟକୁ ବଡି ଭୋରରୁ ଯାଉଥିବା ବ୍ୟବସାୟୀମାନେ ଏମାନଙ୍କ ଟାର୍ଗେଟରେ ରହୁଛନ୍ତି ।ଏଭଳି ଚୋରଙ୍କୁ ସାବାଡ ପାଇଁ ସ୍ୱତନ୍ତ୍ର ପୁଲିସ୍‌ ପଇଁତରା ପାଇଁ ଦାବି ହେଉଛି । ଯଦି ପୁଲିସ କମିଶନରେଟ ଦପ୍ତର, ଖାରବେଳଭବନ, ରାଜଭବନ ଆଦି ନିକଟରେ ଏମାନେ ନିର୍ଭୟରେ ଏଭଳି କାଣ୍ଡ କରୁଛନ୍ତି ତେବେ ସହରର ଅନ୍ୟ ସ୍ଥାନରେ କିଭଳି ରାହାଜାନି ହେଉଥିବ ତାହା ସହଜରେ ଅନୁମେୟ । ରାଜଭବନ ଆଖପାଖ ଏବେ ଚୋର ଓ ନିଶାବେପାରୀଙ୍କ ଆଡ୍ଡାସ୍ଥଳ ହୋଇଥିବାବେଳେ ଏଠାରେ ପୁଲିସ୍‌ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ଦାବି ହେଉଛି ।