ବର୍ଷ ବର୍ଷ ଧରି ହୋର୍ଡିଂ ମାରିଲେ । ବିଏମ୍ସିକୁ ପଇସା ଦେଲେନି । ଟଙ୍କା ଏ କି ଦୁଇ ଟଙ୍କା ନୁହେଁ, ଏମିତି ୧୨ କୋଟିରୁ ଅଧିକ ଟଙ୍କା ବକେୟା ଗଡୁଛି । ଏହି ସବୁ ହୋର୍ଡିଂ ଚିହ୍ନଟ କରାଯାଇ ବିଏମ୍ସି ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୫ଟି ହୋର୍ଡିଂ ହଟାଯାଇଛି । ଜୁନ୍ ସୁଦ୍ଧା ରାଜଧାନୀର ବିଭିନ୍ନ ସ୍ଥାନରେ ଚିହ୍ନଟ ହୋଇଥିବା ଏଭଳି ୨୦୦ ବେଆଇନ୍ ହୋର୍ଡିଂ ହଟାଇବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ବିଏମ୍ସି ପକ୍ଷରୁ ହୋର୍ଡିଂ ଲଗାଇବାକୁ ଏକାଧିକ ସଂସ୍ଥା ଅନୁମତି ନେଇଛନ୍ତି । ଏହି ସବୁ ସଂସ୍ଥା ବିଏମ୍ସି କୁ ବିଜ୍ଞାପନ ବାବଦକୁ ରାଜସ୍ୱ ଦେବେ । ହେଲେ ୧୬ରୁ ଅଧିକ ସଂସ୍ଥା ହୋର୍ଡିଂ ରାଜସ୍ୱ ବାକି ରଖିଛନ୍ତି । ଏହି ସବୁ ସଂସ୍ଥାକୁ କାର୍ଯ୍ୟରୁ ଅନ୍ତର ଦେବାକୁ ବିଏମ୍ସି ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ବିଏମ୍ସି ଲାଇସେନ୍ସ ଆଣ୍ଡ ଆପିଲ୍ସ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏକ ବୈଠକ ବସିଥିଲା । ବୈଠକରେ ୧୬ ସଂସ୍ଥାକୁ ବ୍ଲାକ୍ ଲିଷ୍ଟେଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସବୁ ସଂସ୍ଥା ମଧ୍ୟରେ ସର୍ବାଧିକ ପ୍ରନ୍ସ ଆଡ୍ଭାଟାଇଜ ୨ କୋଟି ୫୬ ଲକ୍ଷ, ସେଲ୍ଭେଲ ଆଡ୍ ୨ କୋଟି ୨୭ ଲକ୍ଷ, ଚିତ୍ରାଲୋକର ୧ କୋଟି ୯ ଲକ୍ଷ, ଏସ୍ପିଏଲ୍ର ୧ କୋଟି ୫ ଲକ୍ଷ, ମେଟ୍ରୋସାଇନର ୮୫ ଲକ୍ଷ, ଗ୍ୟାଲ୍ୟାକ୍ସି ୫୩ ଲକ୍ଷ, ଆପେକ୍ସର ୬୮ ଲକ୍ଷ, ବୋଲିଭା ୩୫ ଲକ୍ଷ ଟଙ୍କ ବକେୟା ରଖିଛନ୍ତି । ଏହି ସବୁ ସଂସ୍ଥା ହୋର୍ଡିଂ ହଟାଇବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ବିଏମ୍ସି ପକ୍ଷରୁ କଟକରୋଡ୍ ଏବଂ ପଳାଶୁଣି ଛକରେ ହେର୍ଡିଂ ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ମାତ୍ର କିଛି ହୋର୍ଡିଂ କାଟି ଥକି ପଡିଥିଲା ବିଏମ୍ସି । ଖରା ଯୋଗୁଁ ହୋର୍ଡିଂ ଉଚ୍ଛେଦ କାର୍ଯ୍ୟରେ ବାଧା ଉପୁଜିଛି । ତଥାପି ଏହା ଚାଲୁ ରହିବ ବୋଲି ଜଣାପଡିଛି।
