Odia News Portal

ଠାକୁରଙ୍କୁ ଛାଡିଲେନି ଦୁର୍ବୃତ୍ତ, ସାଇ ବାବାଙ୍କ ମୁକୁଟ ସହ ସୁନା ଓ ରୁପା ଅଳଙ୍କାର ଲୁଟ୍

ଠାକୁରଙ୍କୁ ଛାଡିଲେନି ଦୁର୍ବୃତ୍ତ। ହୁଣ୍ଡି ଭାଙ୍ଗି ଲୁଟି ନେଲେ ପ୍ରାୟ ୧ ଲକ୍ଷ ଟଙ୍କା । ସାଇ ବାବାଙ୍କ ମୁକୁଟ ସହ ସୁନା ଓ ରୁପା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୋଚିଲିମା ଛକରେ ଥିବା ସାଇ ସୁନ୍ଦର ଧାମ୍ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଁଚି ଅଧିକ ତଦନ୍ତ କରିବା ସହ CCTV କ୍ୟାମେରାରୁ ତଥ୍ୟ ସଂଗ୍ରହ କରୁଛି। ପୋଲିସର ଢ଼ିଲା ପେଟ୍ରୋଲିଂ ବ୍ଯବସ୍ଥା ଯୋଗୁଁ ଧୀରେ ଧୀରେ ଅପରାଧ ଘଟାଇବାରେ ଅପରାଧି ସଫଳ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ସୂଚନାଯୋଗ୍ୟ, ସେହିପରି କିଛି ମାସ ତଳେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ୯ନମ୍ବର ଏନଏସି ୱାର୍ଡରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିଲା । ମଣି ନାଗେଶ୍ବର ଓ ଗାୟତ୍ରୀ ମନ୍ଦିରରୁ ଲୁଟିନେଇଥିଲା ଲୁଟେରା । ମଣି ନାଗେଶ୍ବର ମନ୍ଦିରରେ ପଶି ଠାକୁରଙ୍କ ପିତ୍ତଳ ହାଣ୍ଡି ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଥିଲେ । ୭ବର୍ଷ ହେବ ହୁଣ୍ଡି ବାକ୍ସ ଖୋଲାଯାଇଥିବାରୁ କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ହୋଇନାହିଁ । ସେପଟେ ଗାୟତ୍ରୀ ମନ୍ଦିର ଗେଟ୍ ଭାଙ୍ଗି ମାଆଙ୍କ ରୁପା ମୁକୁଟ, ରୁପା ବାସନ ଓ ପିତ୍ତଳ ବାସନ ଲୁଟି ନେଇଥିଲା ଦୁର୍ବୃତ୍ତ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିଲା ଉଦଳା ପୋଲିସ ।