Odia News Portal

ଆଜି ଆରସିବି-କେକେଆର ମୁକାବିଲା

ଦୁବାଇ: ଆଇପିଏଲ ମହାସମରରେ ଆଜି ଏଲୁମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ବିରାଟ କୋହଲିଙ୍କ ନେତୃତ୍ୱ ଦକ୍ଷତାର ଏହା ଆଉ ଏକ ପରୀକ୍ଷା ହେବ । ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତ କୋହଲିଙ୍କ ଆଗରେ ଅଛନ୍ତି କ୍ୟାପଟେନ କୁଲ୍ ମୋର୍ଗାନ । ଅନ୍ତର୍ଜାତୀୟ କ୍ରିକେଟର ଏହି ଦୁଇ ହାଇ ପ୍ରୋଫାଇଲ୍ ଅଧିନାୟକଙ୍କ ମଧ୍ୟରେ ଏହା ଏକ ପ୍ରକାର ବ୍ୟକ୍ତିଗତ ଲଢେଇ ବୋଲି କହିଲେ ଭୁଲ ହେବ ନାହିଁ । ଏହି ମ୍ୟାଚର ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାକୁ ଥିବା ବେଳେ ବିଜେତା ଦଳ ପ୍ରଥମ କ୍ୱାଲିଫାୟରର ପରାଜିତ ଦଳ ସହ ଖେଳିବ ।

ଚଳିତ ସଂସ୍କରଣ ପରେ କୋହଲି ଆରସିବି ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । କୋହଲିଙ୍କ ନେତୃତ୍ୱରେ ଆରସିବି କେବଳ ଥରେ ୨୦୧୬ରେ ଫାଇନାଲ ଖେଳିଥିଲା । ଏହାଛଡ଼ା ପୂର୍ବରୁ ଆରସିବି ଦୁଇଥର (୨୦୧୫, ୨୦୨୦) ପ୍ଲେ ଅଫକୁ ଉନ୍ନୀତ ହୋଇଥିଲା । ଅଧିନାୟକ ଭାବେ ନିଜ ଶେଷ ଆଇପିଏଲରେ କୋହଲି ଆରସିବିକୁ ଚାମ୍ପିୟନ ମୁକୁଟ ପିନ୍ଧାଇବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ପ୍ରଥମେ ତାଙ୍କ ଦଳକୁ କେକେଆରର ଚ୍ୟାଲେଞ୍ଜ ପ୍ରତିହତ କରିବାକୁ ପଡିବ ।

ଅନ୍ୟପକ୍ଷେ ମୋର୍ଗାନ କେକେଆରର ପୂର୍ବ ଗୌରବ ଫେରାଇ ଆଣିବାକୁ ସଂକଳ୍ପବଦ୍ଧ । ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍ ୨୦୧୨ ଓ ୨୦୧୪ରେ ଟାଇଟଲ୍ ବିଜୟୀ ହୋଇଥିଲା । ଗମ୍ଭୀର ଅବସର ନେବା ପରେ କେକେଆର୍ ଆଇପିଏଲରେ ସଂଘର୍ଷ କରିଆସୁଛି । କେକେଆର ଫାଇନାଲକୁ ଆଉ ଦୁଇ ପାଦ ଦୂରରେ ଥିବା ବେଳେ ମୋର୍ଗାନ ନିଜ ଦଳକୁ ତୃତୀୟ ଟାଇଟଲ୍ ଦେବା ପାଇଁ ବ୍ୟଗ୍ର ।