Odia News Portal

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦଯାପିତ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ବିଶ୍ଵର କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସର ସମାପନ ଘଟିଛି। ଉଦଯାପନୀ ସମାରୋହରେ ୧୦ ଭାରତୀୟ ଆଥଲେଟ୍ ଓ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଉଦଘାଟନୀ ସମାରୋହରେ ଖେଳାଳି ଯେଉଁଠି ପାରମ୍ପରିକ ପୋଷାକ ପରିଧାନ କରିଥିଲେ, ସେଠି ଉଦଘାପନୀ ସମାରୋହରେ ଟ୍ରାକ୍ ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଶନିବାର କାଂସ୍ୟ ପଦକ ଜିତିଥିବା ବଜରଙ୍ଗ ପୁନିଆ ସମାପନ ସମାରୋହରେ ତ୍ରିରଙ୍ଗା ବହନ କରି ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି। ଆସନ୍ତା ଅଲିମ୍ପିକ୍ସ ୨୦୨୪ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ହେବ।

ଉଦଯାପନୀ ସମାରୋହ ଏକ ଭିଡିଓ ସହ ଆରମ୍ଭ ହୋଇଥିଲା। ଏଥିରେ ୧୭ ଦିନ ଧରି ଚାଲିଥିବା ପ୍ରତିଯୋଗିତାର ଝଲକ ପ୍ରଦର୍ଶିତ କରାଯାଇଥିଲା। ଅନ୍ତିମ ଅଧ୍ୟାୟର ଆରମ୍ଭ ଷ୍ଟାଡିୟମରେ ଆତସବାଜିରେ ହୋଇଥିଲା। ଏଥିରେ ଆୟୋଜକ ସଫଳ ଅଲିମ୍ପିକ୍ସ ଆୟୋଜନ ପାଇଁ ଅଗଣିତ ବ୍ୟକ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛି। ଏହା ପରେ ଜାପାନର କ୍ରାଉନ ପ୍ରିନ୍ସ ଅକିଶିନୋ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତିର ଅଧ୍ୟକ୍ଷ ଥମାସ ବାକ୍ ଉପସ୍ଥିତ ଥିଲେ।