Odia News Portal

ସରକାରଙ୍କ ବଙ୍ଗ କଟକଣା ଯୋଗୁଁ ଚିନ୍ତାରେ ବେପାରୀ

*ବୁଡିଯିବ କି ଛୋଟ ବ୍ୟବସାୟ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ୍ ମ୍ୟୁଟାଣ୍ଟ ଭୂତାଣୁ  ଓ ରାଜ୍ୟ ସରକାର ସେଠାକୁ ଯିବା ଆସିବା ଉପରେ କଡା କଟକଣା ଲଗାଇବାପରେ ଓଡିଶାର ଛୋଟ ଛୋଟ ବେପାରୀଙ୍କ ଭେଳା ବୁଡିବା ଅବସ୍ଥା ହୋଇଯାଇଛି। କାରଣ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟର ଅଧିକାଂଶ ଅଞ୍ଚଳର ଛୋଟ ଛୋଟ ପୋଷାକ ଓ ଅନ୍ୟ ବ୍ୟବସାୟୀମାନେ ମୁଖ୍ୟତଃ ବଙ୍ଗଳା ଉପରେ ନିର୍ଭରଶୀଳ ।
ରାଜଧାନୀର ରାସ୍ତାକଡରେ ବିଭିନ୍ନ ବ୍ୟବସାୟର ପସରା ଖୋଲିି ନିଜର ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀଙ୍କ ମୁଣ୍ଡରେ ଏବେ ଚଡକ ପଡିଛି ।ସରକାରଙ୍କ ବଙ୍ଗ କଟକଣା ଯୋଗୁଁ ସେମାନଙ୍କ ବେପାର ବୁଡିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।କାରଣ ରାଜ୍ୟ ସରକାର ଆଜି ଠାରୁ ବଙ୍ଗ ଯିବା ଆସିବା ଉପରେ କଡା କଟକଣା ଲଗାଇଛନ୍ତି ।ଯିଏ ସେଠାକୁ ଯିବ ତାହା ଉପରେ କିଛି କଟକଣା ନଥିବାବେଳେ ଫେରନ୍ତା ପାଇଁ କିନ୍ତୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ କଟକଣା ଜାରି ହୋଇଛି ।ଏପରିକି ଯଦି ୪୮ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ରିପୋର୍ଟ ନେଗେଟିଭ କିମ୍ବା କରୋନା ଟିକାର ଦୁଇଟି ଡୋଜ୍‌ ନେବାର ପ୍ରମାଣପତ୍ର ନଥିବ ତେବେ ବଙ୍ଗ ଫେରନ୍ତାଙ୍କୁ ଘରକୁ ଯିବାକୁ ବାରଣ କରାଯାଇଛି ।

ଏଭଳି ସ୍ଥିତିରେ ରାଜ୍ୟର ଛୋଟ ଛୋଟ ବେପାରୀମାନେ ଆଉ  କୋଲକତା ଯିବାକୁ ସାହସ କୁଳାଇ ପାରୁ ନାହାନ୍ତି ।ଅନ୍ୟ ପକ୍ଷରେ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ କଟକଣା ଲାଗିଥିବାରୁ କୋଲକାତାର ବ୍ୟବସାୟୀମାନେ ମଧ୍ୟ ବରାଦ ମୁତାବକ ସାମଗ୍ରୀ ପଠାଇ ପାରୁ ନାହାନ୍ତି ।ରେଳ ଯାତାୟତରେ ବି କରୋନା ରିପୋର୍ଟ ବାଧ୍ୟତାମୂଳକ ହୋଇଥିବାରୁ ବ୍ୟବସାୟୀମାନେ ଭୟରେ ଯିବା ଆସିବା କରିପାରୁ ନାହାନ୍ତି ।

ଯେଉଁ କିଛି ବ୍ୟବସାୟୀ କରୋନା ପରୀକ୍ଷା କରାଇ କୋଲକତା ଯାଉଥିଲେ ସେମାନେ ଏବେ ସରକାରଙ୍କ ବଙ୍ଗ କଟକଣା ଯୋଗୁଁ ହାତବାନ୍ଧି ବସିଗଲେଣି ।ଗୋଟିଏ ପଟେ ରାଜ୍ୟ ସରକାରଙ୍କ ସହରାଞ୍ଚଳରେ ସପ୍ତାହନ୍ତ ଦୁଇ ଦିନିଆ ସଟ୍‌ଡାଉନ୍‌ ସହିତ ରାତ୍ରୀ କର୍ଫ୍ୟୁ ଜାରି ବେପାରୀଙ୍କ ହାଲତ ଖରାପ କରିଥିବାବେଳେ ଏବେ ସରକାରଙ୍କ ବଙ୍ଗ ଫେରନ୍ତା କଟକଣା ସେମାନଙ୍କ ବେପାରକୁ ଏକ ପ୍ରକାର ଉଜାଡି ଦେବାର ସମ୍ଭାବନା ସୃଷ୍ଟି ହୋଇଛି ।ଏଭଳି ସ୍ଥିତିରେ ବ୍ୟବସାୟୀମାନେ କିଭଳି ବେପାର କରି ନିଜର ଗୁଜୁରାଣ ମେଣ୍ଟାଇବେ ତାହା ସେମାନଙ୍କ ପାଇଁ ବଡ ପ୍ରଶ୍ନବାଚୀ ହୋଇଛି ।