Odia News Portal

କରୋନା ବେଳେ ଗଛ ପଦା କରୁଛନ୍ତି  ବେପାରୀ

*ସବୁଜ ବଳୟ ନଷ୍ଟ ।

ଭୁବନେଶ୍ୱର : କରୋନା କାଳରେ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଜାରି ହୋଇଥିବାବେଳେ ଏହି ମଉକାରେ କିନ୍ତୁ ବେଧଡକ ଗଛକଟା ଚାଲିଛି । ବିଶେଷକରି ଉପକୂଳ ଓଡିଶାରେ ବେପାରୀମାନେ ବିଶାଳକାୟ ଗଛକୁ ଶାଗମାଛ ଦରରେ କିଣି ନେଉଛନ୍ତି । ବନ ବିଭାଗ କେବଳ ଚାକୁଣ୍ଡା ଓ ନଡିଆ ଭଳି ଗଛ କାଟିବାପାଇଁ ଅନୁମତି ଦେଉଥିବାବେଳେ ଶହ ଶହ ଆମ୍ବ ଓ ପଣସ ବି ବଳି ପଡୁଛନ୍ତି ।

କରୋନା ଭୟରେ ଲୋକେ ଘରୁ ବାହାରୁନଥିବାବେଳେ କାଠ ବ୍ୟବସାୟୀମାନେ ଏବେ ବେଶ୍‌ ସକ୍ରିୟ । ଲୋକଙ୍କ ଅଭାବ ଅନାଟନର ଫାଇଦା ନେଇ ଛୋଟ ବଡ ଗଛଗୁଡିକୁ କିଣି ନେଉଛନ୍ତି । ଚାକୁଣ୍ଡା ପାଇଁ ଅନୁମତି ଥିବାବେଳେ ଆମ୍ବ, ପଣସ, ଗହ୍ମାରୀ, ଫାସୀ, କେନ୍ଦୁ ଭଳି ମୂଲ୍ୟବାନ୍‌ ଗଛ ଏମାନଙ୍କ ନଜରରୁ ବାଦ ପଡୁନାହିଁ । ବିଶେଷକରି ପୁରୀ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଏବେ ଜୋରସୋରରେ ଗଛକଟା ଅଭିଯାନ ଚାଲିଛି ।

ଜଗତ୍‌ସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ବୋଧେଇ ଠାରେ ଥିବା କରତକଳ ଗୁଡିକରେ ଦିନରାତି କାଠଗଟା ଚାଲିଛି । ତିନି ଜିଲ୍ଲାରୁ ଏଠାକୁ ଦୈନିକ ଶହ ଶହ ଟ୍ରାକ୍ଟରରେ କାଠସବୁ ଆସୁଛି । ବନ ବିଭାଗର ନଜର ଆଢୁଆଳରେ ଏମାନେ ଚାକୁଣ୍ଡା ନାଁରେ ପ୍ରାୟ ସବୁ କିସମର କାଠ  କାଟିବାରେ ଲାଗିଛନ୍ତି । ସ୍ଥାନୀୟ ପୁଲିସ୍‌ ଓ ଜିଲ୍ଲା ଜଙ୍ଗଲ ବିଭାଗର ବାବୁମାନେ ସବୁ ଦେଖୁଥିଲେ ବି ପକେଟ ଗରମ ଯୋଗୁଁ ସବୁକାଠ ସେମାନଙ୍କୁ ଚାକୁଣ୍ଡା ଭଳି ଦିଶୁଥିବା ଅଭିଯୋଗ ହେଉଛି ।

୧୯୯୯ ର ମହାବାତ୍ୟା ଓ ଦୁଇ ବର୍ଷ ତଳେ ଆସିଥିବା ଫନି ଏହି ତିନି ଜିଲ୍ଲାର ସବୁଜ ବଳୟକୁ ଏକ ପ୍ରକାର ଧ୍ୱସଂ କରିଦେଇଥିଲା । ସେଥିରୁ ଯାହା ରକ୍ଷା ପାଇଯାଇଥିଲା ତାହା ଏବେ କାଠ ମାଫିଆଙ୍କ ନଜରରେ ପଡିଛି । ଚାକୁଣ୍ଡା, ନଡିଆ ନାଁରେ ବହୁ କିସମର ମୂଲ୍ୟବାନ ଗଛକୁ ଏମାନେ ପଦା କରିବାରେ ଲାଗିଛନ୍ତି । ମୂଲ୍ୟବାନ କାଠଗୁହିକ କାଟିବା ସହିତ ତାହାକୁ ଜିଲ୍ଲାବାହାରକୁ ଚାଲାଣ ବି କରିଦେଉଛନ୍ତି । ପୂର୍ବରୁ ଟିକେ ଭୟ ଥିବାବେଳେ କରୋନା ଏବେ ସେମାନଙ୍କ ପାଇଁ ମଉକା  ଆଣି ଦେଇଛି ।

ଜଗତ୍‌ସିଂହପୁର ଜିଲ୍ଲାର ଗାଁ ଗାଁରେ ଏବେ କାଠ ବେପାରୀମାନେ ଏକ ପ୍ରକାର  ଡେରା  ପକାଇଛନ୍ତି । କରତକଳ ମାଲିକଙ୍କ ସହ ସଲାସୁତରା କରି ବିନା ଭୟରେ ଗଛ କାଟି ନେଉଛନ୍ତି । କରତକଳ ପକ୍ଷରୁ ପ୍ରତି ମାସରେ ଜଙ୍ଗଲ ବିଭାଗକୁ ଯେଉଁ ତାଲିକା ଦିଆଯାଉଛି ସେଥିରେ କେବଳ ଚାକୁଣ୍ଡା ଦେଖାଯାଉଛି । ତେବେ ଏହିସବୁ କରତକଳର ବିଦୁ୍ୟତ୍‌ ବିଲ୍‌ ଓ ଚିରଟ ଚାକୁଣ୍ଡାକୁ ଯଦି ହିସାବକୁ ନିଆଯିବ ତେବେ ଜିଲ୍ଲାରେ ସେତିକି ଚାକୁଣ୍ଡା ଗଛ ଥିବ କି ନାହିଁ ତାହା ସନେ୍ଦହଜନକ ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି ।