Odia News Portal

ତ୍ରିବିକ୍ରମରେ ବେଶରେ ମହାବାହୁ

ପୁରୀ : ଚାଲିଛି ପବିତ୍ର ପଞ୍ଚୁକ ବ୍ରତ । ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ତ୍ରିବିକ୍ରମ ବେଶ ବା ଆଡକିଆ ବେଶ ଅନୁଷ୍ଠିତ ହୋଇଥାଏ । ଅବକାଶ ନୀତି ସମ୍ପନ୍ନ ହେବା ପରେ ପୁଷ୍ପାଳକ ସେବକମାନଙ୍କ ଦ୍ୱାରା ଏହି ବେଶ ସମ୍ପାଦନ ହୋଇଥାଏ ।

ଏହି ବେଶରେ ବଡଠାକୁର ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଚୂଳ ଲଗାଯାଏ । କନା, ସୋଲ, ଜମ୍ବୁରା, ବେତ, କଇଁଥ ଅଠାରେ ସୋଲ ଦୁଇଟି ନିର୍ମିତ ହୋଇଥାଏ । ଏଥିରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସାଯାଏ ।

ଭଉଣୀ ସୁଭଦ୍ରା ଏବଂ ଦୁଇ ଭାଇଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଏ । ସେହିପରି ଏହି ବେଶରେ ଅନ୍ୟ ଅଳଙ୍କାର ମାନ ଯେପରିକି ଘାଗଡାମାଳି, ବରକୋଳି ମାଳି, ଗିନିମାଳି, ପଦ୍ମମାଳି, ପଦକମାଳି, ଶ୍ରୀପୟର, ଶ୍ରୀଭୂଜ, ହରିଡାମାଳି, ବାହାଡାମାଳି ସମେତ ହଳ, ମୂଷଳ, ଶଙ୍ଖ, ଚକ୍ର, ପାଟ ବସ୍ତ୍ର ଆଦି ଲାଗି ହୋଇଥାଏ ।