Odia News Portal

ନିର୍ବାଚନ କମିଶନ ଆଦେଶକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଛି ‘ଉଦ୍ଧବ ଠାକରେ ଶିବସେନା’

ଦଳର ନାଁ ‘ଶିବସେନା’ ଓ ସଙ୍କେତ ‘ଧନୁଶର’କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀକୁ ଦେବା ଲାଗି ନିର୍ବାଚନ କମିସନ୍‌ ଦେଇଥିବା ଆଦେଶକୁ ଆଜି ‘ଉଦ୍ଧବ ଠାକ୍‌ରେ ଶିବସେନା’ (ୟୁବିଟି) ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିଛି।

ଉଦ୍ଧବ ଗୋଷ୍ଠୀ ଏହି ମାମଲାର ତ୍ବରିତ ଶୁଣାଣି ଚାହୁଁଛି, କିନ୍ତୁ କେବେ ଏହାର ଶୁଣାଣି କରାଯିବା ତାହା ସମ୍ପ୍ରତି ସ୍ପଷ୍ଟ ହୋଇନାହିଁ।

ମାମଲାଟିକୁ ଆଗାମୀକାଲି ଶୁଣାଣି ପାଇଁ ଉଲ୍ଲେଖ କରି ଜରୁରୀକାଳୀନ ଶୁଣାଣି ନିମନ୍ତେ ତାଲିକାଭୁକ୍ତ କରାଇବା ଲାଗି ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଉଦ୍ଧବ ଗୋଷ୍ଠୀଙ୍କୁ କହିଛନ୍ତି।

ସେନାର ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ସମୁଦାୟ ୫୫ଜଣ ବିଧାୟକଙ୍କ ମଧ୍ୟରୁ ୪୦ଜଣ ଓ ୧୮ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୩ଜଣଙ୍କ ସମର୍ଥନ ପାଇଥିବାରୁ ଶୁକ୍ରବାର ଦିନ ଭାରତର ନିର୍ବାଚନ କମିସନ୍‌ ଦଳର ନାମ ଓ ସଙ୍କେତ ସେମାନଙ୍କୁ ପ୍ରଦାନ କରିଥି‌ଲା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ଠାକ୍‌ରେ ଗୋଷ୍ଠୀକୁ ‘ଶିବସେନା’ (ଉଦ୍ଧବ ବାଲାସାହେବ ଠାକ୍‌ରେ) ଏବଂ ଦଳର ସଙ୍କେତ ‘ଜ୍ବଳନ୍ତ ମଶାଲ୍‌’ ରଖିବାକୁ ନିର୍ବାଚନ କମିସନ୍‌ ମଧ୍ୟବର୍ତ୍ତୀକାଳୀନ ଅନୁମତି ପ୍ରଦାନ କରିଥିଲେ।

ସେପଟେ, ନିର୍ବାଚନ କମିସନ୍‌ ଆଦେଶ ପରେ ଦଳର ନାମ ଓ ସଙ୍କେତ ହରାଇଥିବା ‘ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା (ୟୁବିଟି)  ଟୁଇଟର୍‌ ହ୍ୟାଣ୍ଡଲ୍‌ @ShivSena ରୁ @ShivSenaUBT କୁ ପରିବର୍ତ୍ତନ କରିବାରୁ ‘ଭେରିଫିକେସନ୍‌’ ବା ‘ବ୍ଲୁଟିକ୍‌’ ହରାଇଛି।