Odia News Portal

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଉପ-ରାଷ୍ଟ୍ରପତି

ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ।ତେବେ ଆଜି ଉପ-ରାଷ୍ଟ୍ରପତିଙ୍କ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳନ ହେବାକୁ ଯାଉଥିବା ୫୦ ତମ ସମାବର୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସମାରୋହରେ ଅଧ୍ୟକ୍ଷତା କରିବେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଦିଆଯିବ ।

ଚଳିତ ବର୍ଷ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ । କୋଭିଡ କଟକଣା ମାନି ସମାରୋହ ପାଳନ କରାଯିବ । ସମାବର୍ତ୍ତନ ପ୍ରେକ୍ଷାଳୟରେ ସର୍ବାଧିକ ୫୦୦ଜଣଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦିଆଯିବାକୁ ସ୍ଥିର ହୋଇଛି ।