Odia News Portal

ଖିଣ୍ଡା ହେବ ଆଦର୍ଶ ଗ୍ରାମ: ଧର୍ମେନ୍ଦ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଝାରସୁଗୁଡ଼ା ବିମାନବନ୍ଦର ଆଗକୁ ସଫଳତମ ବିମାନବନ୍ଦର ହେବା ସହ ଅଧିକରୁ ଅଧିକ ସ୍ଥାନକୁ ବିମାନସେବା ଉପଲବ୍ଧ ହୋଇପାରିବ ।

ସେହିଭଳି କେନ୍ଦ୍ରମନ୍ତ୍ରୀ ବୀର ମାଟି ଖିଣ୍ଡାକୁ ଗସ୍ତ କରି ବୀର ସୁରେନ୍ଦ୍ର ସାଏଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଖିଣ୍ଡାକୁ ପର୍ଯ୍ୟଟନ କେନ୍ଦ୍ର ରୂପେ ବିକଶିତ କରାଯିବା ନେଇ ନିଜ ଉଦବୋଧନ ରେ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ପରାଧୀନ ଦେଶବାସୀଙ୍କୁ ସ୍ଵାଧୀନ କରିବା ପାଇଁ ବୀର ସୁରେନ୍ଦ୍ର ସାଏ ଜେଲ୍ ଯାଇଥିଲେ।ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନରେ ଏକ ପ୍ରେରଣା ମନ୍ଦିର ତିଆରି ହେବ । ଏହି ପ୍ରେରଣା ମନ୍ଦିର ପରବର୍ତ୍ତୀ ଯୁବ ପିଢିଙ୍କୁ ଦେଶ ପ୍ରେମ ପାଇଁ ପ୍ରେରଣା ପ୍ରଦାନ କରିବ ।ଏବଂ ଖିଣ୍ଡାକୁ ଏକ ଆଦର୍ଶ ଗ୍ରାମ ରୂପେ ଗଠନ କରାଯିବ । ଏହା ସହ ପଶ୍ଚିମ ଓଡ଼ିଶାରେ କୋଇଲା ଉତ୍ପାଦନ ବୃଦ୍ଧି କରାଯିବା ସହିତ ବିଦ୍ୟୁତ, ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ ବୃଦ୍ଧି କରାଯାଇ ଶିଳ୍ପ ବିକାଶ ତ୍ବରାନ୍ବିତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡା ବିମାନ ବନ୍ଦରର ବିକାଶ ଲାଗି ରାଜ୍ୟ ସରକାରଙ୍କ ଦ୍ଵାରା ମାଗଣାରେ ଜମି ଯୋଗାଣ, ଫାୟାରମ୍ୟାନ ନିଯୁକ୍ତି, ଭିତ୍ତିଭୂମିର ବିକାଶ ଦିଗରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସାଂସଦ ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ, ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏମସିଏଲ ପକ୍ଷରୁ ୬୦ ଲକ୍ଷ ଟଙ୍କା ବ୍ୟୟରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।