Odia News Portal

ବିରାଟ କୋହଲି ହେଲେ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର

ଦୁବାଇ: ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର | ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଭାବରେ ବିବେଚିତ କରାଯାଇଛି । ଏଥିପାଇଁ ଆଇସିସି ତାଙ୍କୁ ସମ୍ମାନଜନକ ସାର୍‌ ଗାରଫିଲ୍ଡ ସୋବର୍ସ ସମ୍ମାନରେ ସମ୍ମାନିତ କରିଛି। ଏଥିସହ ବିରାଟ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ମଧ୍ୟ ପୁରସ୍କୃତ ହୋଇଛନ୍ତି।

ତେବେ ଏହି ତାଲିକାରେ ଷ୍ଟିଭ ସ୍ମିଥ, ରବିଚନ୍ଦ୍ରନ ଅଶ୍ୱିନ, ଜୋ ରୁଟ୍‌ ଆଦି ସାମିଲ ରହିଥିଲେ । ହେଲେ କୋହଲି ସମସ୍ତଙ୍କୁ ପଛରେ ପକାଇ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ହୋଇଛନ୍ତି। ସେହିପରି ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଆଇସିସି ସ୍ପିରିଟ୍‌ ଅଫ କ୍ରିକେଟ ସମ୍ମାନ ମିଳିଛି ।

ସେହିଭଳି ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ଷ୍ଟିଭ ସ୍ମିଥ ପୁରସ୍କୃତ ହୋଇଛନ୍ତି। ସେ ତାଙ୍କ ଟେଷ୍ଟ କ୍ୟାରିୟରେ ୨୬ଟି ଶତକ ଓ ୨୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଫଗାନିସ୍ତାନର ୨୨ ବର୍ଷୀୟ ରଶିଦ ଖାନ ଦଶନ୍ଧିର ଶ୍ରେଷ୍ଠ ଟି-୨୦ କ୍ରିକେଟର ହେବାର ଗୌରବ ହାସଲ କରିଛନ୍ତି। ସେ ଏହି ଦଶନ୍ଧିରେ ୮୯ଟି ୱିକେଟ ନେଇଛନ୍ତି।

ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଭାବେ ବିବେଚିତ ହେବା ପରେ ବିରାଟ କହିଛନ୍ତି, ଏହା ମୋ ପାଇଁ ଏକ ଗର୍ବର ବିଷୟ। ବିଗତ ଦଶ ବର୍ଷ ମଧ୍ୟରେ ୨୦୧୧ ବିଶ୍ୱକପ, ୨୦୧୩ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୮ରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବା ଘଟଣା ମୁଁ ମୋ ହୃଦୟ ସହ ଯୋଡ଼ି ରଖିଛି। ସେହିପରି ୧୦ ବର୍ଷ ମଧ୍ୟରେ ଟିମ୍‌ ଇଣ୍ଡିଆ ଓ ବ୍ୟକ୍ତିଗତ ଭାବେ ମୋ ପାଇଁ ଅନେକ ସ୍ୱତନ୍ତ୍ର ମ୍ୟାଚ୍‌ ସବୁ ଘଟିଛି। ମୁଁ ମୋର ବ୍ୟକ୍ତିଗତ ପ୍ରଦର୍ଶନକୁ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁନାହିଁ। କାରଣ ମୁଁ ମୋର ଇନିଂସ୍‌କୁ ରେଟିଂ କରିବାକୁ ଚାହେଁନି। ଭାରତ ପାଇଁ ମୁଁ ଖେଳିଥିବା ପ୍ରତିଟି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ। ମୁଁ ସବୁବେଳେ ମୋ ଦେଶ ପାଇଁ ମ୍ୟାଚ୍‌ ଖେଳିବାକୁ ଚାହେଁ। ସେଇଟା ହିଁ ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।