Odia News Portal

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନକୁ ନେଇ ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଅଲମ୍ପିକ୍ସର ପ୍ରଥମ ଚାରି ଦିନରେ ଭାରତକୁ ମିଳିଛି ମାତ୍ର ଗୋଟିଏ ପଦକ । ଯାହା ପ୍ରଥମ ଦିନରୁ ହିଁ ଭାରୋଉୋଳନକାରୀ ମିରାବାଇ ଚାନୁ ଆଣିଥିଲେ । କିନ୍ତୁ ଏହା ପରେ ଆଉ ଗୋଟିଏ ବି ପଦକ ଜିତି ପାରି ନାହିଁ ଭାରତ । ଅଲମ୍ପିକ୍ସରେ ଦ୍ୱିତୀୟ ପଦକ ହାସଲ କରିବା ପାଇଁ ପ୍ରାଣ ପ୍ରଣେ ଉଦ୍ୟମ ଜାରି ରଖିଛି ଭାରତୀୟ ଦଳ । ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ମହାକୁମ୍ଭ ଅଲମ୍ପିକ୍ସ ଚାଲୁଥିବା ସମୟରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ବିରାଟ କୋହଲି । କିନ୍ତୁ ଏଥର କ୍ରିକେଟକୁ ନେଇ ନୁହେଁ ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ । ବିରାଟଙ୍କ ସେହି ଇନଷ୍ଟାଗ୍ରାମ ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ବିରାଟ ତାଙ୍କ ଇନଷ୍ଟାଗ୍ରାମର ପୋଷ୍ଟରେ ପଞ୍ଜାବର ଲଭଲି ପ୍ରଫେସନାଲ ୟୁନିଭରସିଟି ବିଷୟରେ ଉଲ୍ଲେଖ କରି ଆସିଛନ୍ତି ଚର୍ଚ୍ଚାକୁ । ତେବେ କାହିଁକି ହଠାତ୍ ଲଭଲି ୟୁନିଭରସିଟି ବିଷୟରେ କହିଲେ କୋହଲି ତାହା ସମସ୍ତଙ୍କ ମନରେ ସୃଷ୍ଟି କରିଛି ପ୍ରଶ୍ନବବାଚୀ । ଆମେ ଏଠାରେ କହି ରଖିବାକୁ ଚାହୁଁ କି ଚଳିତ ଅଲମ୍ପିକ୍ସରେ ଭାରତ ପକ୍ଷରୁ ୧୨୪ ଜଣିଆ ଦଳ ଟୋକିଓରେ ପହଂଚିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୨୪ ଜଣଙ୍କ ମଧ୍ୟରୁ ୧୧ ଜଣ କ୍ରୀଡାବିତ ଲଭଲି ପ୍ରଫେସନାଲ ୟୁନିଭରସିଟିରେ ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ହକି ଦଳର ସଦସ୍ୟ । ୭ ଜଣଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରିତ ସିଂ, ମନଦୀପ ସିଂ, ଦିଲପ୍ରୀତ ସିଂ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ ସିଂ, ସମଶେର ସିଂ ଏବଂ ବରୁଣ କୁମାର । ତେବେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରେସଲର ବଜରଙ୍ଗୀ ପୁନିଆ, ଜାଭିଲିନ୍ ଥ୍ରୋ ତାରକା ନିରଜ ଚୋପ୍ରା, ୪ ୪୦୦ ମିଟର ରିଲେ ଦଳର ସଦସ୍ୟ ଅମୋଜ ଜାକୋବ ଏବଂ ପାରା ଆଥେଲେଟେ ହାଇଜମ୍ପ ତାରକା ନିସାଦ କୁମାର ।

ଟୋକିଓ ଅଲମ୍ପିକ୍ସରେ ଲଭଲି ପ୍ରଫେସନାଲ ୟୁନିଭରସିଟିର ପ୍ରଦର୍ଶନ ଦେଖିବା ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏହି ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିବାରେ ନିଜକୁ ଅଟକାଇପାରିନଥିଲେ । ଭାରତକୁ ଆହୁରି ୧୦ଟି ଲଭଲି ପ୍ରଫେସନାଲ ୟୁନିଭରସିଟି ଦରକାର ବୋଲି ବିରାଟ ଇନଷ୍ଟାଗ୍ରାମ ପୋଷ୍ଟର କ୍ୟାପସନରେ ମଧ୍ୟ ଲେଖିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।