Odia News Portal

ସରକାରଙ୍କ ଫୋକସରେ ପଶ୍ଚିମ ଓଡ଼ିଶା

ସମ୍ବଲପୁର: ସମ୍ବଲପୁର ଓ ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ସମଲେଶ୍ୱରୀ ପୀଠର ବିକାଶ ଉପରେ ରହିଛି ରାଜ୍ୟ ସରକାରଙ୍କ ଫୋକସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର ଦିନ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ଉକ୍ତ ଅଞ୍ଚଳର ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ସମଲେଶ୍ୱରୀ ପୀଠର ଗୁରୁତ୍ୱ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିକଟ ଅତୀତରେ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ ସମଲେଶ୍ୱରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାର୍ଶ୍ୱିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ମନ୍ଦିରର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ।

ତେବେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଯାଇ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହିତ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।

ରାଜ୍ୟ ପୂର୍ତ୍ତ ସଚିବ ଓ ସମ୍ବଲପୁରର ଜିଲ୍ଲାପାଳ ଏ ଯୋଜନା ସଂପର୍କରେ ଉପସ୍ଥାପନା ଦେଇଥିଲା ବେଳେ ଉତ୍ତରାଞ୍ଚଳ ଆର୍‌.ଡି.ସି, ଡି.ଆଇ.ଜି ଏବଂ ଏସ୍‌.ପି ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କର 5T କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।