Odia News Portal

ମାଲକାନଗିରିରେ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ କଲେ, ଆଦିବାସୀଙ୍କ ହୃଦୟ ଜାଣିଲେ ୫-ଟି ସଚିବ

ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ କାର୍ଯ୍ୟକାରିତା ଅନୁଧ୍ୟାନ କରିଛନ୍ତି। ଗସ୍ତର ପ୍ରଥମ ଦିନ ମଙ୍ଗଳବାରରେ ପ୍ରଥମେ ହେଲିକେପ୍ଟର ଯୋଗେ ମାଥିଲି ବ୍ଲକ୍ ମୁଖ୍ୟାଳୟରେ ୫-ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍.ଭିନିଲ୍ କ୍ରିଷ୍ଣା, ଉନ୍ନୟନ ସଚିବ ଅନୁ ଗର୍ଗ ପହଞ୍ଚିଥିଲେ। ଶିବସାଗର ଓ ସପ୍ତଧାରା ଜଳସେଚନ ପ୍ରକଳ୍ପ, ଜୟପୁର- ମାଲକାନଗିରି ପ୍ରସ୍ତାବିତ ରେଳ ପଥ ଅନୁଧ୍ୟାନ କରିଥିଲେ। କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ୫-ଟି ସଚିବ। ମାଥିଲି କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରି ଅଞ୍ଚଳର ପ୍ରଗତି ବାବଦରେ ପଚାରି ବୁଝିଥିଲେ। ପରେ ଖଇରପୁଟ ବ୍ଲକ୍ ମୁଦୁଲିପଡା ବଣ୍ଡା ଘାଟିରେ ପହଞ୍ଚିଥିଲେ ସମସ୍ତ ପଦାଧିକାରୀ।

ସୀତାକୁଣ୍ଡ, ବଣ୍ଡାଘାଟିକୁ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରିବା ବାବଦରେ ସମୀକ୍ଷା ସହ ସ୍ଥାନୀୟ ଆଦିବାସୀ ନେତୃବୃନ୍ଦଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ଚିତ୍ରକୋଣ୍ଡା ବ୍ଲକ୍‌ ଗସ୍ତ କରି ହନ୍ତଳଗୁଡା ଭିୟୁ ପଏଣ୍ଟ୍, ବଡ଼ଗୁଡା ଶିକ୍ଷା କମ୍ପ୍ଲେକ୍ସ ବୁଲି ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା।

ଜିଲ୍ଲାପାଳ ବିଶାଲ ସିଂ, ଏସ୍‌ପି ନିତେଶ ୱାଧନୀ ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଲୋକମାନେ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନଙ୍କୁ ନିଜ ଗହଣରେ ପାଇ, ସେମାନଙ୍କ ସହ ଆମନାସାମନି କଥା ହୋଇ ଓ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଦେଖି ଆନନ୍ଦ ବ୍ୟକ୍ତ କରିଥିଲେ। ଆଦିବାସୀଙ୍କ ସୁଖଦୁଃଖ ବୁଝି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆଶ୍ଵସନା ଦେଇ ଏକ ଆପଣାର ଭାବ ସୃଷ୍ଟି କରାଇ ପାରିଥିଲେ ସଚିବ ପାଣ୍ଡିଆନ୍ ଓ ଅନ୍ୟ ପଦାଧିକାରୀ।