Odia News Portal

ଯୋରନ୍ଦା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ

ଉନ୍ନତି ପଥରେ ଢେଙ୍କାନାଳର ବିଶ୍ବପ୍ରସିଦ୍ଧ ଯୋରନ୍ଦା ପୀଠ । ଯୋରନ୍ଦା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳି ଗୁଡିକର ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେବଳ ୧୦ କୋଟି ଟଙ୍କା ବ୍ୟୟରେ ମହିମାଗାଦୀ ଯୋରନ୍ଦା ପୀଠର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ ।ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ଯୋରନ୍ଦା ହାଇସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପାନ୍ଥନିବାସ ଯାଇ ଅପେକ୍ଷାରତ ଜନପ୍ରତିନିଧିଙ୍କୁ ଭେଟିବା ପରେ ଧୂନି ମନ୍ଦିର ପରିଦର୍ଶନ କରିବେ । ପରେ ଗାଦି ମନ୍ଦିର ଯାଇ ବକଳଧାରୀଙ୍କୁ ସାକ୍ଷାତ କରିବେ । ସମ୍ବୋଧନ ମଞ୍ଚରେ 5T ସଚିବଙ୍କୁ ଅପେକ୍ଷା କରିଛନ୍ତି ଅନେକ ଲୋକ । ସେଠାରେ ଭି.କେ ପାଣ୍ଡିଆନ ମହିମା ଗାଦିର ବିକାଶ ନେଇ କଣ କହିବେ , ତାକୁ ଅପେକ୍ଷା କରିଛନ୍ତି ।

ଏହାପରେ ଜ୍ୟୋତି ମନ୍ଦିର, କୌପିନଧାରୀ ଆଶ୍ରମ, ନୀତି ମନ୍ଦିର ଯିବେ । ପୀଠରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ରାସ୍ତାଘାଟ, ଉନ୍ନତମାନର ଶୌଚାଳୟ, ପାର୍କ, ପୋଖରୀ ଗୁଡିକର ପୁନଃରୁଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି । ବିଶ୍ରାମସ୍ଥଳୀ, ବଡ ମଠ, ଆଶ୍ରମ ଓ ମନ୍ଦିର ଗୁଡିକ ଚିହ୍ନଟ ପାଇଁ ସାଇନେଜ୍ ବ୍ୟବସ୍ଥା ଏବଂ ସମଗ୍ର ପୀଠକୁ ଆଲୋକିକରଣ କରାଯାଉଛି । ଏସମସ୍ତ କାର୍ଯ୍ୟର ତଦାରଖ କରିବା ସହ ବକଳଧାରୀ ଓ କୌପିନଧାରୀ ମହିମା ସନ୍ୟାସୀଙ୍କ ସହିତ ଏକାଠି ମିଶି ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାର ଯୋରନ୍ଦାକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ଉଭୟ ଗୋଷ୍ଠୀର ସାଧୁ ସନ୍ୟାସୀ ।