Odia News Portal

ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ଆକ୍ରମଣ

ଶୁଭେନ୍ଦୁଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା |

କୋଲକାତା: ପଶ୍ଚିମବଙ୍ଗରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାମଧ୍ୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଓ କର୍ମୀଙ୍କୁ ମାଡ ଅଭିଯୋଗ ସାମ୍ନାକୁ ଆସିଛି । ସକାଳେ ଜଣେ ବିଜେପି କର୍ମୀ ଟିଏମସି ନେତାଙ୍କ ଧମକରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ସମୟରେ ନନ୍ଦିଗ୍ରାମରୁ ବିଜେପି ପ୍ରାର୍ଥୀ ତଥା ମମତା ବାନାର୍ଜୀଙ୍କ ବିରୋଧରେ ଲଢୁଥିବା ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ ଉପରେ ଆକ୍ରମଣ ହୋଇଛି ।

ସୂଚନା ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ ନିଜ ନିର୍ବାଚନମଣ୍ଡଳୀର କେଉଁ ଏକ ସ୍ଥାନକୁ ଯାଉଥିବା ସମୟରେ ତାଙ୍କ ଗାଡ଼ି ଉପରେ ପଥରମାଡ ହୋଇଥିଲା । ଏଥିରେ ଶୁଭେନ୍ଦୁଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କାରକେଡରେ ଥିବା ଅନ୍ୟ କିଛି ଗାଡିର କାଚ ଭାଙ୍ଗିଯାଇଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗରେ ଜଙ୍ଗଲରାଜ ଚାଲିଛି । ଟିଏମସି ଏହା ବାଂଲାଦେଶର ନାରା ସହ ବିଜୟୀ ହେବାକୁ ଚାହୁଁଛି । ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ପ୍ରଲୋଭିତ କରି ମମତା ବିଜୟୀ ହେବାକୁ ପ୍ରୟାସ କରୁଛନ୍ତି ।

ବିଧାନସଭା ନିର୍ବାଚନ ପାଇଁ ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ହାଇଭୋଲଟେଜ୍ ନନ୍ଦୀଗ୍ରାମ ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ପଡୁଛି । ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କ ସହ ମୁକାବିଲା କରୁଛନ୍ତି । ଏହି କାରଣରୁ ନନ୍ଦିଗ୍ରାମରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିଛି । ଏଠାରେ ଉଭୟ ନେତା ନିଜର ପତିଆରାର ଲଢେଇ ଲଢୁଛନ୍ତି ।