Odia News Portal

ବାହାର ରତ୍ନଭଣ୍ଡାରରୁ କୁଆଡେ ଗଲା 3 ରତ୍ନ ? ସିଂହଦ୍ବାର ଥାନାରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ମିଳୁ ନଥିବାରୁ ଥାନାରେ ଏତଲା । ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ହଜିଯାଇଥିବା ନେଇ ଗଣମାଧ୍ୟମରେ ରତ୍ନଭଣ୍ଡାର ତଦାରକ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିବା ପରେ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବା କହିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଦୋଷୀ ବ୍ୟକ୍ତି ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ‘ବାହାର ରତ୍ନଭଣ୍ଡାରରୁ ତିନିଟି ରତ୍ନ ଅଳଙ୍କାର କେମିତି ହଜିଲା । ଯେତେବେଳେ ବାହାର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା ସେହି ସମୟରେ କାହିଁକି ଗଣତି କରାଯାଇନଥିଲା‌ । ଏଣୁ ରତ୍ନ ଅଳଙ୍କାର ହଜିବା ହେବା ଘଟଣାକୁ ନେଇ ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବେଶ୍ ଆଘାତ ଦେଇଛି ।’ସେ ଆହୁରି କହିଛନ୍ତି, ‘ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ବାହାର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ନିଖୋଜ ହୋଇଥିବା କଥା ନିଜେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । କିନ୍ତୁ ଏହା ଚର୍ଚ୍ଚାର ପରିସରକୁ ଆସିବା ପରେ ଏହି ଘଟଣାକୁ ଚପାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରୁଛି । ଏଣୁ ସରକାର ସମସ୍ତ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।‌ ନଚେତ୍ ଆଗାମୀ ଦିନରେ ଏହି ଘଟଣାର ତଦନ୍ତ ପାଇଁ ସିବିଆଇରେ ଏତଲା ଦିଆଯିବ । ରାଜରାସ୍ତାରେ ଏହି ଘଟଣାକୁ ନେଇ ମଧ୍ୟ ପ୍ରତିବାଦ କରାଯିବ ।ଦୀର୍ଘ 48 ବର୍ଷ ପରେ ମହାପ୍ରଭୁଙ୍କ ଅଳଙ୍କାର ଗଣତି ମଣତି କରାଯାଉଛି । ପ୍ରଥମେ ଗତ ମାର୍ଚ୍ଚ ୨୫ରେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ହୋଇଥିଲା । ଏହା ପରେ ଏପ୍ରିଲ 8 ରୁ 11 ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ହୋଇଥିଲା । ଏହାପରେ ଗତ 13 ଏପ୍ରିଲରୁ ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଜାରି ରହିଛି । ଏହାରି ମଧ୍ୟରେ ବାହାର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ 3 ଅଳଙ୍କାର ହଜିବା ହେବା ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।