Odia News Portal

କୃଷକ-ଶିକ୍ଷକଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର

ତାମିଲନାଡୁରେ କୃଷକ ଓ ଶିକ୍ଷକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ। ପୂର୍ବତନ ଡିଏମକେ ସରକାର ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିକ୍ଷୋଭ ଓ ଆନ୍ଦୋଳନ କରିଥିବା କୃଷକ ଏବଂ ଶିକ୍ଷକମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ। ବୁଧବାର ରାଜ୍ୟ ବିଧାନସଭାରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ୨୦୨୧ ମେ’ରୁ ୨୦୨୬ ମଧ୍ୟରେ SIPCOT ଶିଳ୍ପାଞ୍ଚଳ ବିକାଶ ଓ ପ୍ରସ୍ତାବିତ ପରନ୍ଦୁର ବିମାନବନ୍ଦର ଭଳି ବିଭିନ୍ନ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରିଥିବା କୃଷକ ଓ ଶିକ୍ଷକଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା।

ମାମଲାଗୁଡ଼ିକ ବିଚାରାଧୀନ ଥିବାରୁ ସମ୍ପୃକ୍ତ ଲୋକମାନେ ଅନେକ ଅସୁବିଧାରେ ପଡ଼ୁଥିଲେ। ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛି। ବିଜୟ କହିଛନ୍ତି, କୃଷକ ହେଉଛନ୍ତି ରାଜ୍ୟର ମେରୁଦଣ୍ଡ, ଆଉ ନିଜ ଅଧିକାର ପାଇଁ ଲଢ଼ୁଥିବା ଶିକ୍ଷକମାନଙ୍କ ସହ ସରକାର ସବୁବେଳେ ଛିଡ଼ା ହେବ। ଏହି ନିଷ୍ପତ୍ତି ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି।

ତେବେ ଏହି ଘୋଷଣା ପରେ ଆଉ କିଛି ଦାବି ଉଠିଛି। ‘ନିଟ୍’ ବିରୋଧରେ ଆନ୍ଦୋଳନ କରିଥିବା ଛାତ୍ରଛାତ୍ରୀ ଏବଂ ନେଇଭେଲି ଲିଗ୍ନାଇଟ୍ କର୍ପୋରେସନ୍ ବିରୋଧରେ ଆନ୍ଦୋଳନ କରିଥିବା ଲୋକଙ୍କ ଉପରୁ ମଧ୍ୟ ମାମଲା ପ୍ରତ୍ୟାହାର କରିବାକୁ ସିପିଆଇ ଓ ପିଏମ୍‌କେ ଦାବି କରିଛନ୍ତି। ଏହି ଦାବିଗୁଡ଼ିକୁ ସହାନୁଭୂତିର ସହ ବିଚାର କରାଯିବ ବୋଲି ଆଇନ ମନ୍ତ୍ରୀ ନିର୍ମଳ କୁମାର ଆଶ୍ୱାସନ ଦେଇଛନ୍ତି। ଅର୍ଥାତ୍, କୃଷକ ଓ ଶିକ୍ଷକଙ୍କ ଉପରୁ ମାମଲା ପ୍ରତ୍ୟାହାର ଘୋଷଣା ପରେ ଏବେ ଅନ୍ୟ ଆନ୍ଦୋଳନକାରୀଙ୍କ ମାମଲା ନେଇ ମଧ୍ୟ ସରକାରଙ୍କ ଉପରେ ଚାପ ବଢ଼ିଛି।