Odia News Portal

ସିଦ୍ଧୁଙ୍କୁ ନେଇ ଅଡୁଆରେ ପଞ୍ଜାବ କଂଗ୍ରେସ

ଆଗାମୀ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ତାହା ପୂର୍ବରୁ ରାଜ୍ୟ କ୍ଷମତାରେ ଥିବା କଂଗ୍ରେସ ଭିତରେ ଦ୍ୱନ୍ଦ ତେଜିବାରେ ଲାଗିଛି । ବିଶେଷ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସଂ ଓ ନବଜୋତ ସିଂ ସିଦ୍ଧୁଙ୍କ ଭିତରେ ଲାଗି ରହିଥିବା କଳହ ଥମିବାରେ ନାଁ ନେଉନି । ଏହାରି ମଧ୍ୟରେ ସିଦ୍ଧୁଙ୍କର ଏକ ବୟାନ ପଞ୍ଜାବ କଂଗ୍ରେସରେ ଝଡ ସୃଷ୍ଟି କରିଛି ।

ମଙ୍ଗଳବାର ଦିନ ସିଦ୍ଧୁ କହିଛନ୍ତି କି ଆମର ବିରୋଧୀ ଆପ୍ ସର୍ବଦା ମୋର ଦୃଷ୍ଟିକୋଣକୁ ସ୍ୱୀକୃତି ଦେଇଛି । ୨୦୧୭ ପୂର୍ବରୁ ବିଡିବି, ଡ୍ରଗ୍ସ, କୃଷକ ସମସ୍ୟା,ଭ୍ରଷ୍ଟାଚାର, ଓ ବିଜୁଳି ସଂକଟ ଯେଭଳି ଥିଲା ଆଜି ବି ସେଭଳି ରହିଛି । ହେଲେ ପଞ୍ଜାବର ଲୋକ ଜାଣିଛନ୍ତି କି ପଞ୍ଜାବ ପାଇଁ କିଏ ଲଢୁଛି ବୋଲି ସିଦ୍ଧୁ ତାଙ୍କ ବୟାନରେ କହିଛନ୍ତି ।

କହିରଖୁ କି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମଧ୍ୟରେ କିଛିଦିନ ହେବ ଏଭଳି ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ସିଦ୍ଧୁ ରାଜ୍ୟ କଂଗ୍ରେସ ଓ ସରକାରରେ କିଛି ବଡ ପଦ ପଦବୀ ଆଶା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନା ତାଙ୍କୁ କ୍ୟାବିନେଟରେ ସାମିଲ କରୁଛନ୍ତି ନା ଦଳ ଭିତରେ କିଛି ବଡ ପଦ ଦେବାକୁ ଇଚ୍ଛା କରୁଛନ୍ତି ।  ଅନ୍ୟପଟେ ରାଜ୍ୟର ଏହି ଦୁଇନେତାଙ୍କ ଭିତରେ ଲଢେଇ ଦିଲ୍ଲୀରେ ପହଂଚିବା ପରେ ଏହାର ସମାଧାନ ପାଇଁ କେନ୍ଦ୍ର କଂଗ୍ରେସ ପକ୍ଷରୁ ଏକ ୩ ଜଣିଆ କମିଟି ବି ଗଠନ କରାଯାଇଛି । ହେଲେ ସିଦ୍ଧୁଙ୍କର ଆଜିର ବୟାନ ପରେ ଏହା ସ୍ପଷ୍ଟ ହୋଇଛି କି ନା ଅମରିନ୍ଦର ନା ସିଦ୍ଧୁ କେହି ବି ନିଜ ଜିଦରୁ ଓହୁରିବାକୁ ପ୍ରସ୍ତୁତ ନୁହନ୍ତି ।

ଅନ୍ୟପଟେ ପଞ୍ଜାବରେ ହେବାକୁ ଥିବା ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି  ବି ଆକ୍ସନ ମୋଡରେ ରହିଛି । ରାଜ୍ୟରେ ସଂଗଠନ ବୃଦ୍ଧି କରିବାକୁ ବିଭିନ୍ନ ବର୍ଗର ନେତାଙ୍କୁ ଦଳରେ ସାମିଲ କରୁଛି । ଏହି କ୍ରମରେ ସିଦ୍ଧୁଙ୍କର ଆଜିର ବୟାନ ପରେ ସିଦ୍ଧୁ ଆପରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି