Odia News Portal

ସୀମା ପୁନିଆଙ୍କୁ ଅଲମ୍ପିକ ଟିକେଟ

ନୂଆଦିଲ୍ଲୀ: ଭେଟେରାନ ଡିସ୍କସ୍ ଥ୍ରୋୟର ସୀମା ପୁନିଆ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଜାତୀୟ ଆନ୍ତଃ-ରାଜ୍ୟ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ର ଅନ୍ତିମ ଦିବସରେ ଶ୍ରେଷ୍ଠ ପ୍ରଚେଷ୍ଟା ୬୩.୭୦ମିଟର ସହ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୩୭ବର୍ଷୀୟ ପୁନିଆ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକ ରୌପ୍ୟ ଏବଂ ୨୦୧୮ ଏସିଆନ ଗେମ୍ସରେ ଏକ ବ୍ରୋଞ୍ଜ ଜିତିଥିଲେ। ସେ ଅଲିମ୍ପିକ ଯୋଗ୍ୟତା ଅଙ୍କ ୬୩.୫୦ ମିଟରକୁ ଅତିକ୍ରମ କରିଯାଇଥିଲେ। ସେ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ୨୦୦୪, ୨୦୧୨ ଓ ୨୦୧୬ ସଂସ୍କରଣରେ ଭାଗ ନେଇସାରିଛନ୍ତି। ମହିଳା ଡିସ୍କସ୍ ଥ୍ରୋରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ପୁନିଆ ଦ୍ୱିତୀୟ ଭାରତୀୟ ମହିଳା। ପୂର୍ବରୁ ଗତ ସୋମବାର ଇଣ୍ଡିଆନ ଗ୍ରାଁ ପ୍ରି-୪ରେ ୬୬.୫୯ ମିଟର ଡିସ୍କସ୍ ଫିଙ୍ଗି ଜାତୀୟ ରେକର୍ଡ ଅଧିକାରିଣୀ କମଲପ୍ରୀତ କୌର ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି।