Odia News Portal

ହସ୍ପିଟାଲରୁ ଡିସଚାର୍ଜ ହେଲେ ଗାଙ୍ଗୁଲି

ନୂଆଦିଲ୍ଲୀ : ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି | ନିକଟରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୋଲକାତାର ଉଡ୍‌ଲାଣ୍ଡ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ସେ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି । ଗାଙ୍ଗୁଲି ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଗତ ଶନିବାର ବ୍ୟାୟାମ କରିବା ବେଳେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କୋଲକାତାର ଉଡଲାଣ୍ଡ୍ ହସ୍ପିଟାଲରେ ୪୮ ବର୍ଷୀୟ ଗାଙ୍ଗୁଲିଙ୍କ ଚିକିତ୍ସା ଚାଲିଥିଲା । ଏବେ ଘରେ କିଛି ଦିନ ବିଶ୍ରାମ କରିବେ ଗାଙ୍ଗୁଲି । ଶନିବାର ଗାଙ୍ଗୁଲିଙ୍କୁ ଏଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ତାଙ୍କ ହୃତପିଣ୍ଡର ଧମନୀରେ ଥିବା ବ୍ଲକେଜ ପାଇଁ ଏଞ୍ଜିୟୋପ୍ଲାଷ୍ଟି ହୋଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ।ହସ୍ପିଟାଲ ଏମଡି ଓ ସିଇଓ ରୁପାଲୀ ବାସୁ କହିଛନ୍ତି ଯେ, ଗାଙ୍ଗୁଲି କ୍ଲିନିକାଲି ଫିଟ୍ ଅଛନ୍ତି। ଡିସଚାର୍ଜ ପରେ ଗାଙ୍ଗୁଲିଙ୍କୁ ଘରେ ଆରାମ କରିବାକୁ ହେବ ।