Odia News Portal

ଅସହ୍ୟ ଶୀତରେ ଥରୁଛି ଓଡ଼ିଶା, ୫ ତାରିଖ ପର୍ଯ୍ୟନ୍ତ ଘନକୁହୁଡ଼ି ପଡ଼ିବାର ଆଶଙ୍କା

ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ ହୋଇଛି । ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ଏହା ପରେ ପୁଣି ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରି ସେଲିସିୟସ କମିବ ତାପମାତ୍ରା । ଶୀତ ସହିତ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଠିକରେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଘନ କୁହୁଡ଼ି ଯୋଗୁଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।