Odia News Portal

ପରିବାରର ସମସ୍ତେ ଚାଲିଯିବା ପରେ ରାହା ଖୋଜୁଛି ୧୪ ମାସର ଶିଶୁ

ଅନୁଗୁଳ: ୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ ଆଶ୍ରୟ ନେଇଥିବା ବେଳେ ଅଜା, ଆଇଙ୍କ ସହ ମାମୁଁଘର ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ଶେଷରେ ନିଜର ମାଉସୀ ଶେଷ ଭରଷା ହୋଇଛନ୍ତି ଏହି କୁନି ଝିଅର । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁରୁ ଆସିଛି ଏଭଳି ଖବର । ମଳୟ ବସନ୍ତ ଦେହୁରୀଙ୍କ ପରିବାରର ସମସ୍ତେ ଚାଲିଯିବା ପରେ ଏବେ ରାହା ଖୋଜୁଛି ତାଙ୍କ ୧୪ ମାସର ଝିଅ ରାନୀ ।

ମଳୟ ନାଲକୋ ସେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାମ କରୁଥିଲେ । ପ୍ରଥମେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କ ସ୍ତ୍ରୀ ସୌଦାମିନୀ ଓ ମା ମାଳତୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏପରିକି ରାନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲା କରୋନା ଯୁଦ୍ଧରେ ବିଜୟୀ ହୋଇଥିଲା ରାନୀ । ହେଲେ ପ୍ରଥମେ ମା ସୌଦାମିନୀର ମୃତ୍ୟୁ ହୋଇଥିଲା । ଏହାପରେ ୭ଦିନ ପରେ ଗୋଟିଏ ଦିନରେ ମଳୟ ଓ ତାଙ୍କ ମା ମାଳତୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଏତିକିରେ ରାନୀଙ୍କ ଦୁଃଖ ସରିନି । ମାମୁଁଘରେ ଆସି ରହିଥିଲେ ରାନୀ । ତେବେ ସେଠାରେ ତାଙ୍କ ଆଇ ଓ ଅଜାଙ୍କୁ ମଧ୍ୟ କରୋନା ସଂକ୍ରମିତ ହୋଇଛି । ସେମାନେ ମେଡିକାଲରେ ଥିବାବେଳେ ଏବେ ତାଙ୍କ ମାଉସୀ ରାନୀଙ୍କୁ ଲାଳନ ପାଳନ କରୁଛନ୍ତି । ଏବେ ରାନୀଙ୍କକ ପରିବାର କହିଲେ କେହିନାହିଁ । ପୂର୍ବରୁ ଜେଜେବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପରିବାରର ସମସ୍ତଙ୍କୁ ନେଇଗଲା କରୋନା ମହାମାରୀ । ଜୀବନର ରାହା ଖୋଜୁଛନ୍ତି ଏହି ୧୪ ମାସର ଝିଅ ରାନୀ ।