Odia News Portal

କିଏ ବୁଝିବ ଦଉଡ଼ି କାରିଗରଙ୍କ ଦୁଃଖ

ମାହାଙ୍ଗା: ପାଖେଇ ଆସୁଛି ଓଡିଶାର ଗଣପର୍ବ ରଜ । ଗାଁ ଠୁ ସହର ଯେଉଁ ପର୍ବରେ ଉତ୍ସବମୁଖର ହୋଇଉଠେ ସେଇ ରଜ ପର୍ବର ମୁଖ୍ୟ ଅଂଶ ଦୋଳି ଖେଳ । ତେବେ ଦୋଳି ଖେଳ ପାଇଁ ଦଉଡି ଆବଶ୍ୟକ ହେଉଥିବା ବେଳେ ଏହି ଦଉଡି ପ୍ରସ୍ତୁତକାରୀଙ୍କ ପେଟକୁ ଲାତ ମାରିଛି କରୋନା । ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବଇଁଚୁଆ ଗାଁ । ଯେଉଁଠି ଶତାଧିକ ପରିବାର ବାପ-ଅଜା ଅମଳରୁ ଏହି ଦଉଡି ବଳା କାମକୁ ନିଜର କୌଳିକ ବୃତି ଭାବେ ଆପଣାଇ ଆସିଛନ୍ତି । ଏଡି କାମରେ ପୁରା ପରିବାର ଲାଗିଥାନ୍ତି । ରଜ ସମୟରେ ଦଉଡିର ବିଶେଷ ଆବଶ୍ୟକତା ପଡୁଥିବାରୁ ଭଲ ଦି ପଇସା ରୋଜଗାର ହୁଏ । ହେଲେ ଦୁଇ ବର୍ଷ ଧରି କରୋନା ପାଇଁ ରଜ ଉତ୍ସବରେ ପ୍ରତିବନ୍ଧକ ଲାଗୁଥିବାରୁ ବଢ଼ିଯାଇଛି ଏମାନଙ୍କ ଦୁର୍ଦ୍ଦଶା ।

ଝୋଟ ରୁବାଣୀ ତିଆରି କରାଯାଏ । ଦଉଡ଼ି ପ୍ରସ୍ତୁତି ପାଇଁ ସାଇକେଲ ରିମ ସାହାଯ୍ୟରେ ବାଣୀ ରୁ ଦଉଡ଼ି ତିଆରି ହୋଇଥାଏ। କିଏ ଝୋଟ ରୁ ବାଣୀ ତିଆରି କରେ ତ ଆଉ କିଏ ଦଉଡ଼ି ରୁ। ଝୋଟ ର ତିଆରି ବାଣୀ, ପଘା, ଦଉଡ଼ି, ସିକା, ଲଙ୍ଗଳ ଦଉଡ଼ି, ଗାଈ, ବାଛୁରୀ ପଘା, କୂଅ ଦଉଡ଼ି ଆଦି ତିଆରି କରି ବିକ୍ରୀ କରିବା ପାଇଁ ଗାଁ ଓ ବଜାର ହାଟ କୁ ଯାଇଥାନ୍ତି । ବିଶେଷ କରି ରଜ ପୂର୍ବରୁ କେନ୍ଦ୍ରାପଡ଼ା, ଜଗସିଂପୁର, ଭୁବନେଶ୍ୱର, କଟକ, ସାଲେପୁର , ମାହାଙ୍ଗା, ନିଶ୍ଚିନ୍ତକୋଇଲି ବଜାର ରେ ବିକ୍ରି କରିଥାନ୍ତି ଦଉଡ଼ି । କେବଳ ଝୋଟ ରେ ତିଆରି ଦଉଡ଼ି ନୁହେଁ ବରଂ ପ୍ଲାଷ୍ଟିକ ଦଉଡ଼ି ମଧ୍ୟ ତିଆରି କରି ବିକ୍ରି କରିଥାନ୍ତି । ବିଶେଷ କରି ରଜ ପୂର୍ବରୁ ରଜ ଦୋଳି ତିଆରି କରି ବେଶ୍ ଦି’ ପଇସା ବିକ୍ରି କରି ଲାଭ କରିଥାନ୍ତି। ଏହା ଛଡ଼ା ବୋଲବମ ଶିକା, ପଣା ସଂକ୍ରାନ୍ତି , ରଜ ସମୟରେ ବହୁ ପରିମାଣର ଦଉଡ଼ି ବିକ୍ରି ହୋଇଥାଏ ।

ଜୀବନ ବଂଚାଇବା ଭିତରେ ଏବେ ଜୀବିକା ମରିଯାଉଛି । କରୋନା ପ୍ରଭାବରେ ମରି ମରି ଜିଇଁବାକୁ ପଡୁଛି ଲୋକଗୁଡାଙ୍କୁ । ଯଦି ସରକାର ଏମାନଙ୍କ ପାଇଁ ଆଗେଇ ଆସନ୍ତେ ତେବେ ଅନେକ ଜୀବନ ଅନାହାର ମୃତ୍ୟୁ ମୁଖରୁ ଫେରି ଆସନ୍ତା ।