Odia News Portal

ସଚ୍ଚୋଟତାକୁ କାର୍ଯ୍ୟଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ସରକାରୀ ଚାକିରି କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରି ନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ। ସରକାରଙ୍କ ନୀତି ନିୟମର ମର୍ଯ୍ୟାଦାରେ ରହି ନିଜ କାର୍ଯ୍ୟ ସମ୍ପାଦନ କରିବା ହେଉଛି ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ। ଦୁର୍ନୀତିରୁ ଊର୍ଦ୍ଧ୍ୱରେ ରହି ଭଲ କାମ କରନ୍ତୁ। ସଚ୍ଚୋଟତାକୁ କାର୍ଯ୍ୟଶୈଳୀ(ୱାର୍କ କଲ୍‌ଚର)ର ଅବିଚ୍ଛେଦ୍ୟ ଅଙ୍ଗ କରନ୍ତୁ। ସାଧାରଣ ଜନତାଙ୍କ ଆଶୀର୍ବାଦ ହେଉଛି ବଡ଼ ପୁଞ୍ଜି ବୋଲି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକାଦଶ ନିଯୁକ୍ତି ମେଳାରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସରକାରଙ୍କ ବିଭିନ୍ନ ବର୍ଗରେ ୧୬୮୬ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟରେ ସର୍ବାଧିକ ୯୮୨, ଜଳ ସମ୍ପଦରେ ୪୧୩, କୃଷିରେ ୩୪, ଦକ୍ଷତା ବିକାଶରେ ୧୩୬, ମତ୍ସ୍ୟ ଓ ପ୍ରାଣୀସମ୍ପଦରେ ୨୩, ଅର୍ଥରେ ୬୧ ଓ ଆଇନରେ ୩୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ଦ୍ବିତୀୟ ବର୍ଷ ପ୍ରାରମ୍ଭର ଏହା ହେଉଛି ଦ୍ବିତୀୟ ନିଯୁକ୍ତି ମେଳା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୧୫ ମାସ ମଧ୍ୟରେ ୧୧ଟି ନିଯୁକ୍ତି ମେଳା ଜରିଆରେ ସରକାରୀ କ୍ଷେତ୍ରରେ ଆଜିକୁ ମିଶାଇ ସମୁଦାୟ ୩୦ହଜାର ପଦବିରେ ନିଯୁକ୍ତି ଦିଆଯାଇଛି। ସରକାର ଆସିବାର ପ୍ରଥମ ଦୁଇ ବର୍ଷରେ ୬୫ ହଜାର ସରକାରୀ ପଦବି ପୂରଣ କରାଯିବାର ଲକ୍ଷ୍ୟ ରହିଥିଲା। ଜୁନ୍ ୨୦୨୬ ଶେଷ ସୁଦ୍ଧା ଆହୁରି ୪୦ ହଜାର ସରକାରୀ ପଦବି ପୂରଣ ହେବ। ସରକାରୀ ପଦବି ପୂରଣ କରିବାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରାଜ୍ୟରେ ଯୁବ ବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ସରକାରଙ୍କ ପକ୍ଷରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୧ଲକ୍ଷ ୭ହଜାର ୯୨୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏବେ ଯେତେ ବି ସରକାରୀ ନିଯୁକ୍ତି ପରୀକ୍ଷା ହେଉଛି, କୌଣସିରେ ଦୁର୍ନୀତି ବା ଅନିୟମିତତାର ଅଭିଯୋଗ ଆସିନାହିଁ। ଯେତେବେଳେ ବି ସାମାନ୍ୟତମ ସୁରାକ ଆସୁଛି, ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ୫ ବର୍ଷରେ ୧.୫୦ ଲକ୍ଷ ନିଯୁକ୍ତି ପ୍ରଦାନ ସରକାରଙ୍କ ଲକ୍ଷ୍ୟ ରହିଛି। ଆଜି ସୁଦ୍ଧା ୩୦ ହଜାରରୁ ଅଧିକ ନିଯୁକ୍ତି ଦିଆଗଲାଣି। ୫ବର୍ଷ ଭିତରେ ଖାଲି ଥିବା ସମସ୍ତ ପଦବି ପୂରଣ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ସରକାର କ୍ଷମତାକୁ ଆସିବା ପରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବିର ପୂରଣ ପାଇଁ ନିଯୁକ୍ତି ମେଳା ମାଧ୍ୟମରେ ଉଦ୍ୟମ ଜାରି ରହିଛି। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ନିଷ୍ଠାର ସହ କାମ କରାଯାଉଥିବା ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଦକ୍ଷତା ବିକାଶ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ, ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।