Odia News Portal

ହୀରାକୁଦ ଡ୍ୟାମ୍‌ର ୨୦ ଗେଟ୍‌ ଖୋଲା

ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆହୁରି ୪ଟି ଗେଟ୍‌ ଖୋଲାଯାଇଛି। ଗତକାଲି ୧୬ଟି ଗେଟ୍‌ ଖୋଲାଥିବା ବେଳେ ଆଜି ୨୦ଟି ଗେଟ୍‌ ଦେଇ ମହାନଦୀରେ ଜଳ ନିଷ୍କାସନ କରାଯାଉଛି। ଅଧିକ ଗେଟ୍‌ ଖୋଲା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଖସିବାରେ ଲାଗିଛି। ଗତକାଲି ରାତି ୯ଟାରେ ଜଳସ୍ତର ୬୨୯.୪୭ ଫୁଟ ଥିବା ବେଳେ ଆଜି ସନ୍ଧ୍ୟା ୬ଟାରେ ୬୨୮.୯୩ ଫୁଟରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ସୁଦ୍ଧା) ହୀରାକୁଦ ଉପର ମୁଣ୍ଡରେ ୫୮ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସନ୍ଧ୍ୟାରେ ଜଳଭଣ୍ଡାରକୁ ହାରାହାରି ୨,୭୮,୯୨୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ସର୍ବମୋଟ ୩,୬୧,୫୧୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଏହି ସମୟରେ ସ୍ଲୁଇସ୍‌ ଗେଟ୍‌ଗୁଡ଼ିକ ଦେଇ ୩,୨୭,୨୦୦ କ୍ୟୁସେକ୍ ଓ ପାୱାର ଚ୍ୟାନେଲ୍‌ ଦେଇ ୩୧,୮୭୪ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଉଛି। ଶିଳ୍ପାନୁଷ୍ଠାନଗୁଡ଼ିକ ୨୪୩ କ୍ୟୁସେକ୍ ପାଣି ଟାଣୁଥିବା ବେଳେ ଜଳସେଚନ ନିମନ୍ତେ କେନାଲ୍‌ଗୁଡ଼ିକରେ ୨,୨୦୦ କ୍ୟୁସେକ୍ ପାଣି ଛଡ଼ାଯାଇଛି। ସେଥିରୁ ବରଗଡ଼ ମୁଖ୍ୟ କେନାଲରେ ୨,୧୯୩ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୭ କ୍ୟୁସେକ୍ ଜଳ ଛଡ଼ାଯାଇଥିବା ବେଳେ ଶାସନ ମୁଖ୍ୟ କେନାଲରେ ଜଳଯୋଗାଣ ବନ୍ଦ ରହିଛି। ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡ ମହାନଦୀର ଖଇରମାଳଠାରେ ୪,୯୬,୦୦୦ କ୍ୟୁସେକ୍, ବରମୂଳଠାରେ ୪,୭୨,୦୦୦ କ୍ୟୁସେକ୍ ଏବଂ ମୁଣ୍ଡଳିଠାରେ ୨,୦୯,୫୩୬ ଜଳ ପ୍ରବେଶ କରୁଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିଠାରେ ଜଳପ୍ରବେଶ ହାର ପ୍ରାୟ ୬,୫୦,୦୦୦ କ୍ୟୁସେକ୍ ହୋଇଯିବ ବୋଲି ଆକଳନ କରାଯାଇଛି। ଆଜି ଦିନବେଳା ହୀରାକୁଦ ଉପର ମୁଣ୍ଡରେ ବେଶୀ ବର୍ଷା ହୋଇ ନ ଥିବାରୁ ଅଧିକ ଗେଟ୍‌ ଖୋଲାଯିବା ସମ୍ଭାବନା କମ୍। ଆସନ୍ତା ୨୮ ଆଡ଼କୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜଳଭଣ୍ଡାରକୁ ଏବେ ଖାଲି ରଖାଯାଉଛି। ଉଲ୍ଲେଖଯୋଗ୍ୟ ଯେ ରୁଲ୍‌କର୍ଭ ଅନୁସାରେ, ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ପହିଲା ଆଡ଼କୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତର ୬୩୦ ଫୁଟରେ ପହଞ୍ଚିଥାଏ। କିନ୍ତୁ ଚଳିତ ବର୍ଷ ଜଳସ୍ତର ଆଗୁଆ ଶୀର୍ଷ ସ୍ତରରେ ପହଞ୍ଚି ଯାଇଥିଲା।